ଓଡିଶା

odisha

ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ, ପଶୁ ବଳିରେ ରକ୍ତରଞ୍ଜିତ ହେଲା ରାସ୍ତା

By ETV Bharat Odisha Team

Published : Oct 22, 2023, 3:57 PM IST

Updated : Oct 22, 2023, 4:06 PM IST

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ । ଅଧିକ ପଢନ୍ତୁ

Chatar Yatra of Goddess Manikeshwari
Chatar Yatra of Goddess Manikeshwari

ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ, ପଶୁ ବଳିରେ ରକ୍ତରଞ୍ଜିତ ହେଲା ରାସ୍ତା

ଭବାନୀପାଟଣା:କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମା' ମାଣିକେଶ୍ବରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା । ଭବାନୀପାଟଣା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଏହି ଯାତ୍ରା ସମ୍ପନ୍ନ ହୋଇଛି । ମା'ଙ୍କ ଛତରକୁ ଦର୍ଶନ କରି ଭକ୍ତମାନେ ଆନନ୍ଦଲାଭ କରିଥିବା ବେଳେ ହଜାର ହଜାର ମାତ୍ରାରେ ପଶୁ ବଳି ଦିଆଯାଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଅନେକ ରାଜ୍ୟରେ ବଳିପ୍ରଥା ଏକ ପ୍ରକାର ବନ୍ଦ ହୋଇଆସୁଥିବା ବେଳେ ଏହି ଯାତ୍ରାରେ କିନ୍ତୁ ମା’ଙ୍କ ଛତର ସାମ୍ନାରେ ପ୍ରଶାସନ ଉପସ୍ଥିତିରେ ହଜାର ହଜାର ପଶୁ ବଳି ଦିଆଯାଇଛି । ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଞ୍ଜିତ ହୋଇଥିଲା ଭବାନୀପାଟଣାର ମୁଖ୍ୟ ରାସ୍ତା । ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରାକୁ ବୁଝାଏ । କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ । ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିକେଶ୍ବରୀଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯନ୍ତ ମା' ମାଣିକେଶ୍ବରୀଙ୍କୁ ସ୍ବତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ ।

ଏହା ବି ପଢନ୍ତୁ- ଆରମ୍ଭ ହେଲା ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ମନ୍ଦିର ଅଭିମୁଖେ ବାହାରିଛି ମା'ଙ୍କ ବିଜୟ ପ୍ରତିମା

ମହାଷ୍ଟମୀ ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରି ମନ୍ଦିର ଅଭିମୁଖେ ଆସିଥାନ୍ତି । ଢୋଲ, ନିଶାନ, ମହୂରୀ, ଘଣ୍ଟ, ଶଙ୍ଖ ଓ ମା'ଙ୍କ ପ୍ରିୟ ବୀରବାଦ୍ୟ ଘୁମୁରାର ତାଳେ ତାଳେ ବିଜୟ ପ୍ରତିମା ଜେନାଖାଲରୁ ମନ୍ଦିର ପର୍ଯନ୍ତ ଭକ୍ତଙ୍କ ଦର୍ଶନ ଲାଗି ମା' ମାଣିକେଶ୍ବରୀ ଆସିଥାନ୍ତି । ଏହି ଛତର ଯାତ୍ରାର ଦର୍ଶନ ପାଇଁ ପଡୋଶୀ ରାଜ୍ୟ ଓ ଜିଲ୍ଲାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମା'ଙ୍କ ଛତରକୁ ଦର୍ଶନ କରି ଆନନ୍ଦଲାଭ କରିଥିଲେ ଭକ୍ତ।

ଛତରଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି, କୁକୁଡା ଆଦି ହଜାର ହଜାର ମାତ୍ରାରେ ମା'ଙ୍କ ନିକଟରେ ବଳି ଦେଇଛନ୍ତି ଏବଂ ଅନ୍ୟପଟେ ଭକ୍ତ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟରେ ଉଡାଇଥିବା ଦେଖିବାକୁ ମିଳିଥିଲା । ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇ ଉଠିଥିଲା ଜେନାଖାଲଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା । ଚଳିତ ବର୍ଷ ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Oct 22, 2023, 4:06 PM IST

ABOUT THE AUTHOR

...view details