ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ପରିଷଦ ଉପନିର୍ବାହୀ ଯନ୍ତ୍ରୀ । ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜଲାନ୍ସ ଚଢ଼ାଉ କରିଛି । ଭବାନୀପାଟଣା ମହାବୀର ପଡ଼ାରେ ଥିବା ବାସ ଭବନ ସମେତ 4ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।
ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ସମୀରଙ୍କ ବ୍ୟାଙ୍କ, ମ୍ୟୁଚାଲ ଫଣ୍ଡ୍ ଓ ଜୀବନବୀମା ପଲିସିରେ ୫୨.୫୬ ଲକ୍ଷରୁ ଅଧିକ ଟଙ୍କା ଜମାରାଶି ରହିଛି । ଭବାନୀପାଟଣା ମହାବୀରପଡାରେ ୭୦୩୩ ବର୍ଗଫୁଟ୍ରେ ଥିବା ୩ମହଲା କୋଠା ଯାହାର ମୂଲ୍ୟ ୧ କୋଟି ହେବ । ସେହିପରି ଇରିଗେସନ୍ କଲୋନୀରେ ୨୫୦୦ ବର୍ଗଫୁଟ୍ରେ ଏକ ଦୁଇ ମହଲା କୋଠା ଏବଂ ଭବାନୀପାଟଣାରେ ୩ଟି ପ୍ଲଟ୍ ରହିଛି । । ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ୍ ପକ୍ଷରୁ ଏସବୁର ପ୍ରକୃତ ମୂଲ୍ୟ ହିସାବ କରାଯାଉଛି । ଏହା ସହିତ ୪୯୧୬୩ ନଗଦ ଟଙ୍କା, ୨୫୦ଗ୍ରାମ ସୁନା, ୯୩୦ଗ୍ରାମ ରୁପା ଯାହାର ମୋଟ ମୂଲ୍ୟ ୮.୭୧ଲକ୍ଷ, ଗୋଟିଏ ଚାରି ଚକିଆ ଗାଡି ଯାହାର ମୂଲ୍ୟ ୮.୫୭ଲକ୍ଷ ଏବଂ ୧୧.୭୩ଲକ୍ଷର ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଠାବ ହୋଇଛି । ତେବେ ୧୫ ଘଣ୍ଟା ପରେବି ସମ୍ପୂର୍ଣ୍ଣ ହୋଇ ପାରିନାହିଁ ସମ୍ପତ୍ତିର ଆକଳନ । କାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ରାତି ପର୍ଯ୍ୟନ୍ତ ଜାରି ରହିଥିଲା । ସେପଟେ ସମୀରଙ୍କୁ ପଚରାଉଚରା ସହ ଚଢ଼ାଉ ଓ ଯାଞ୍ଚ ଜାରି ରହିଥିବାରୁ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।