ଭବାନୀପାଟଣା:ସମୀକ୍ଷା ବୈଠକ ଚାଲିଥିବା ବେଳେ ବ୍ଲକ ଅଧ୍ୟକ୍ଷଙ୍କୁ ଚପଲରେ ପିଟିବା ପାଇଁ ଧମକ ଦେଲେ ମଣ୍ଡଳ ଉନ୍ନୟନ ଅଧିକାରୀ (BDO)। ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ସ୍ଥାନୀୟ ବିଡିଓଙ୍କ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଗତକାଲି (ଶନିବାର) ଭବାନୀପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରାଯାଇଥିଲା । ଉକ୍ତ ବୈଠକରେ ଦୀର୍ଘ ୨୭ ମାସ ପରେ ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ ନାଏକଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ, ସମସ୍ତ କନିଷ୍ଠ ଯନ୍ତ୍ରୀ, ଡ଼ୁମୁରିଆ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ବିଡିଓ ତାଙ୍କ ପ୍ରତି ଏପରି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ବ୍ଲକ ଅଧ୍ୟକ୍ଷ । ଏ ସମ୍ପର୍କରେ ବିଡିଓଙ୍କ ପ୍ରତିକ୍ରିୟା ମିଳି ପାରିନି ।
ଅଭିଯୋଗ ଅନୁସାରେ, ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ବିଡିଓଙ୍କୁ ପ୍ରଶ୍ନ କରିଥିଲେ ଯେ, ତାଙ୍କର ବିନା ଜ୍ଞାତସାରରେ କିଭଳି ବିଭିନ୍ନ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ଓ ଅନୁମୋଦନ ପାଇଁ ପ୍ରେରଣ କରୁଛନ୍ତି ? ତେବେ ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଧ୍ୟକ୍ଷଙ୍କ ପ୍ରଶ୍ନରେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ଓଲଟା ବ୍ଲକ ଅଧ୍ୟକ୍ଷଙ୍କୁ ଚପଲରେ ପିଟିବେ ବୋଲି କହିଥିବା ଗୁରୁତର ଅଭିଯୋଗ ହୋଇଛି । ବିଡିଓଙ୍କ ଏପରି ବ୍ୟବହାରକୁ ନେଇ ଏବେ କଳାହାଣ୍ଡି ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ ନାଏକଙ୍କ ସମ୍ମୁଖରେ ବିଡିଓଙ୍କ ଏପରି ଅଶାଳୀନ ଦୁର୍ବ୍ୟବହାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସଂଘର ସଭାପତି ବିନ୍ଦୁ ମହାନନ୍ଦ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-କଳାହାଣ୍ଡି ଶଗଡା ଗାଁରେ ପୋଷ୍ଟର ମାରିଲା ଲାଲବାହିନୀ, ଛତିଶଗଡ ମାଓ ସଂଗଠନକୁ ବିରୋଧ