କଳାହାଣ୍ଡି: ଚାଲିଛି ପାର୍ବଣର ଋତୁ । ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତି ପୀଠରେ ଚାଲିଛି ଜଗତ ଜନନୀଙ୍କ ଆରାଧନା । ଏନେଇ ଚାରିଆଡେ ଆରମ୍ଭ ହେଲାଣି ଉତ୍ସବର ମାହୋଲ । ନବରାତ୍ରକୁ ନେଇ ବିଭିନ୍ନ ଶକ୍ତି ପୀଠରେ ମହାଷ୍ଟମୀ ପୂଜା ଚାଲିଥିବାବେଳେ, ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଚଳିତ ବର୍ଷ କୋରୋନା କଟକଣା ମୁକ୍ତ ପୂଜାକୁ ନେଇ ଚତୁର୍ଦିଗ ହୋଇଛି ଉତ୍ସବ ମୁଖର । ଚାରିଆଡେ ସୁସଜ୍ଜିତ ମେଢ ସାଙ୍ଗକୁ ଆଲୋକରେ ଝଲସୁଛି ପୁରପଲ୍ଲୀ ।
ତେବେ କଳାହାଣ୍ଡି କେସିଙ୍ଗା ସହରରେ ଜୋରଦାର ହୋଇଛି ମା' ଙ୍କ ପୂଜା । ସହରର ଆମ୍ବମାତା ମନ୍ଦିର ରେ ସ୍ବତନ୍ତ୍ର ଅଷ୍ଟମୀ ପୂଜା ଚାଲିଥିବାବେଳେ, ମା'ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଏହାସହ ମନ୍ଦିରରେ ୫ରୁ ଉର୍ଦ୍ଧ୍ବ ଅଖଣ୍ଡ ଦୀପ ପ୍ରଜ୍ଵଳନ ହେଉଥିବାବେଳେ, ଦିନ ରାତି ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଛତ୍ରର ମଧ୍ୟ ବ୍ୟବସ୍ଥା କରିଛି ମନ୍ଦିର ପରିଚାଳନା କମିଟି । ସେପଟେ ସହରର ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଚଳିତ ବର୍ଷ କଟକଣା ମୁକ୍ତ ରହିଥିବାବେଳେ, ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ।