ଭବାନୀପାଟଣା: ଜାଗା ଦେଲେ ଘର ଦେଲେ, ଏବେ ତଡିବାକୁ ଚେତାବନୀ,୩୦ ଆଦିବାସୀ ପରିବାର ଯିବେ କୁଆଡେ ? ୨୫ ବର୍ଷର ଜାଗା ଘର ଛାଡିବାକୁ ନାରାଜ ଲୋକେ । ସରକାର ଦେଇଥିବା ଜମି ପଟ୍ଟା ଚିହ୍ନଟରେ ତ୍ରୁଟି । ୨୫ ବର୍ଷ ପରେ ଜାଗା ଛାଡିବାକୁ ଜମି ମାଲିକଙ୍କ ତାଗିଦ। ବାସହରା ହେବା ଭୟରେ ଆଦିବାସୀ ପରିବାର।
୨୫ ବର୍ଷ ପରେ ଜାଗା ଛାଡିବାକୁ ତାଗିଦ,୩୦ ଆଦିବାସୀ ପରିବାର ଯିବେ କୁଆଡେ ୧୯୯୬ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକ ସରକାର ଥିବା ସମୟରେ ଭୂମିହୀନ ୩୦ ପରିବାରକୁ ଯମୁନା ସାଗର ଗାଁରେ ଘର ଡିହ ପଟ୍ଟା ବଣ୍ଟନ କରିଥିଲେ। ସେହି ବର୍ଷ ୧୫ ମାର୍ଚ୍ଚରେ ସରକାରୀ ଯୋଜନାରେ ସେମାନଙ୍କୁ ଘର ଦିଆଯାଇଥିଲା। ସେବେଠୁ ସେମାନେ ଯମୁନା ସାଗର ଗାଁରେ ରହି ଆସୁଛନ୍ତି। ସମସ୍ତଙ୍କ ପାଖରେ ଘରଡ଼ିହ ଜମିପଟ୍ଟା ମଧ୍ୟ ରହିଛି। କିନ୍ତୁ ବର୍ତ୍ତମାନ ସେହି ଗାଁର ଜୈନିକ ବ୍ୟକ୍ତିଙ୍କ ନାଁରେ ସେଇ ଜାଗା ଗୁଡିକର ପଟ୍ଟା ଆସିଥିବା କହି ଜମି ମାଲିକ ୩୦ ପରିବାରକୁ ଉଠିବାକୁ କହୁଛି। ଦୀର୍ଘ ବର୍ଷରୁ ରହି ଆସୁଥିବା ତାଙ୍କ ସ୍ବପ୍ନର ଘର କାଳେ ଭାଙ୍ଗିଯିବ ସେ ଚିନ୍ତାରେ ୩୦ ଆଦିବାସୀ ପରିବାର।
କଂଗ୍ରେସ ସରକାର ବେଳେ ଜମି ସିଲିଂ ନିୟମ ଜାରି ହୋଇଥିଲା। ନିୟମ ଅନୁସାରେ ପରିବାରରେ ଜଣ ପିଛା ୧୦ ଏକରରୁ ଅଧିକ ଜମି ଥିଲେ ତାହା ଗରିବ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଉଥିଲା। ସେଇ ନିୟମ ଅନୁସାରେ ଯମୁନା ସାଗରର ଏହି ଜମି ୧ ଏକର ୩୦ ଡ଼ିସିମିଲ, ୩୦ ଟି ପରିବାର କୁ ୧୯୯୬ ମସିହାରେ ପଟ୍ଟା ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ କ୍ରମେ ଏହି ପରିବାର ମାନେ ସରକାରଙ୍କ ଆବାସ ଯୋଜନାରେ ମଧ୍ୟ ସାମିଲ ଅଛନ୍ତି। ଏହାସହ ସ୍ଥାୟୀ ବାସିନ୍ଦା ହିସାବରେ ସରକାରଙ୍କୁ ଖଜଣା ମଧ୍ୟ ଦେଉଥିବାର ରସିଦ ରହିଛି। ଏହାପରେ ବି ଜମି ମାଲିକ ସେଠାରୁ ଉଠାଇବାର ଯୋଜନା କରୁଛି।
ସେପଟେ ଉପ ଜିଲ୍ଲାପାଳ କହିଛନ୍ତି ଘଟଣା ଉପରେ ନଜର ରଖି ସମାଧାନ ନେଇ ତହସିଲଦାର ଓ ଆରଆଇ ଙ୍କୁ ନିର୍ଦେଶ ଦିଆଯାଇଛି।ପ୍ରଶ୍ନ ଉଠୁଛି ସେତେବେଳର ସରକାର ଗରିବଙ୍କୁ ଦେଇଥିବା ଜମି ପଟ୍ଟା ଅନ୍ୟ ବ୍ୟକ୍ତିଙ୍କ ନାଁ ରେ ହେଲା କେମିତି ? କେଉଁ ଅଫିସର ଓ କର୍ମଚାରୀ ତଦାରଖ କରି ଏମାନଙ୍କୁ ପଟ୍ଟା ପ୍ରଦାନ କରିଥିଲେ ? ତ୍ରୁଟି ରହିଲା କେଉଁଠି? ବାସହୀନ ହେଲେ ଏମାନେ ଯିବେ କୁଆଡେ ?
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ