ଭବାନୀପାଟଣା:ଷ୍ଟେସନ ପରିସରରେ ରେଳବିଭାଗ କର୍ମଚାରୀଙ୍କୁ ଛୁରାମାଡ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ତେବେ ଛୁରାମାଡରେ ଗୁରୁତର ବ୍ୟକ୍ତି ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ସାଲେପଡା ଗାଁର ସୀମାନ୍ତ ଖଡଙ୍ଗା । କୌଣସି ଗଣ୍ଡଗୋଳକୁ କେନ୍ଦ୍ରକରି ଏପରି ଘଟିଥିବା ନେଇ ଜଣାପଡିଛି ।
ସୂଚନା ଅନୁଯାୟୀ, ସୀମାନ୍ତ ଖଡଙ୍ଗା ଅସ୍ଥାୟୀ କର୍ମଚାରୀ ଭାବରେ ରୁପ୍ରାରୋଡ଼ ରେଳ ଷ୍ଟେସନ କର୍ମଚାରୀ ମାନଙ୍କ ପାଇଁ ରୋଷେୟା ଭାବରେ କାମ କରନ୍ତି । ଏନେଇ ଗତକାଲି ସନ୍ଧ୍ୟାରେ ମଧ୍ୟ ରୋଷେଇ ସାରି ଷ୍ଟେସନ ପରିସରରେ ବଳସପୁର ଗାଁର ମୁକୁନ୍ଦ ଗଡିଆ ନାମକ ଜଣେ ବ୍ୟକ୍ତି ଆସି ତାଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ କରିଥିଲେ । ଏହାପରେ ବ୍ୟକ୍ତି ଜଣକ ଧାରୁଆ ଅସ୍ତ୍ରରେ ଯୁବକଙ୍କ ଉପରକୁ ଆକ୍ରମଣ କରିଥିଲେ । ତେବେ ଏନେଇ ଯୁବକ ଜଣକ ଚିତ୍କାର କରିବାରୁ ପାଖରେ ଥିବା କିଛି ଲୋକ ଆସି ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।