କଂଗ୍ରେସ ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ ନୂଆଦିଲ୍ଲୀ/ଭୁବନେଶ୍ବର: ତରୁଣ ପାଣ୍ଡେ ହେଲେ ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ । AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ ପରେ ପ୍ରାର୍ଥୀ ଘୋଷଣା । ପୂର୍ବତନ ବିଧାୟକ ବୀରେନ ପାଣ୍ଡେଙ୍କ ପୁଅ ହେଉଛନ୍ତି ତରୁଣ ପାଣ୍ଡେ ।
ଝାରସୁଗୁଡା ଉପନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଏକ 5 ଜଣିଆ କମିଟି ଗଠନ କରିଥିଲେ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ବରେ ଟିମ ଝାରସୁଗୁଡା ଯାଇ ଦଳୀୟ ନେତା କର୍ମୀଙ୍କ ସହ ଆଲୋଚନା କରିଥିଲେ । ପରେ କମିଟି ପିସିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ପିସିସିର ସୁପାରିଶ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଟିକେଟ ପାଇଁ ଜିଲ୍ଲା ସଭାପତି ଅଶୋକ ମିଶ୍ର ଗତଥର ନିର୍ବାଚନ ଲଢିଥିବା ନେତା ମଧ୍ୟ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ 3 ଥର ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ତଥା ଯୁବନେତା ତରୁଣ ପାଣ୍ଡେଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।
ଏହାବି ପଢନ୍ତୁ- Jharsuguda By Poll: ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
ସେପଟେ ଗତ ମାର୍ଚ୍ଚ 31 ରେ ବିଜେଡି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଛି । ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ସାଧାରଣ ଜୀବନରେ ଆକ୍ଟିଭ୍ ଥିଲେ । ସେ ଯୁବ ମହିଳା ଭାବେ ଜନ ଜୀବନରେ ଆସିବାକୁ ଆଗ୍ରହୀ ଥିଲେ । ତାଙ୍କ ବାପା ଜୀବିତ ଥିବା ସମୟରେ ସେ ଏହା କହିଥିଲେ । ବାପାଙ୍କ ତତ୍ୱାବଧାନରେ ଦୀପାଳି ଅନେକ କାର୍ଯ୍ୟ କରିଛନ୍ତି । ଦୀପାଳି ପଦ୍ମପୁର, ବ୍ରଜରାଜନଗର ଉପନିର୍ବାଚନରେ ସଫଳତାର ସହ ବିଭିନ୍ନ ପ୍ରଚାର କାର୍ଯ୍ୟ କହିଛନ୍ତି । ଆଗ୍ରେସିଭ୍ ଓ ପୋଲାଇଟଲି ସେ ଲୋକଙ୍କ ପାଖକୁ ଯାଆନ୍ତି । ଦୀପାଳିଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକମ୍ପା, ମହିଳା, ଯୁବ ଭୋଟ ହାତେଇବାକୁ ସକ୍ଷମ ହେବ ବୋଲି କୁହାଯାଉଛି ।
କଂଗ୍ରେସ ମଧ୍ୟ ଝାରସୁଗୁଡାରେ ସିମ୍ପାଥି ଭୋଟ ହାତେଇବାକୁ ଯୋଜନା ରଖିଛି । କାରଣ ଝାରସୁଗୁଡାର 3 ଥର ବିଧାୟର ବିରେନ ପାଣ୍ଡେଙ୍କ ନିକଟରେ ଦେହାନ୍ତ ହୋଇଛି । ଝାରସୁଗୁଡା ବିକାଶରେ ବିରେନଙ୍କ ମଧ୍ୟ ଯୋଗଦାନ ରହିଛି । ତେଣୁ ସିମ୍ପାଥି ଭୋଟ ପାଇଁ କଂଗ୍ରେସ ଆଶା ରଖିଛି ।
ଅନ୍ୟପଟେ ଆଜି ସଂଧ୍ୟା ସୁଦ୍ଧା ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରିବ । କାରଣ ଆଜି କର୍ଣ୍ଣାଟକ ନିର୍ବାଚନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିବ । ସେହି ଆଧାରରେ ଆଜି ବିଭିନ୍ନ ଉପନିର୍ବାଚନ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । ଯାହାର ଆଜି ସଂକେତ ଦେଇ ସାରିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ । ସୁବାସଙ୍କ ସଂକେତ ଅନୁସାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ହେଉଥିବା ଏକ ପ୍ରକାର ସ୍ପଷ୍ଟ ।
ଇଟିଭି ଭାରତ, ଭୁବନେଶ୍ବର