ଝାରସୁଗୁଡ଼ା:ଝାରସୁଗୁଡ଼ା ଯାତ୍ରୀମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ସ୍ପାଇସଜେଟ ବିମାନ ସେବା । ବିଗତ କିଛି ଦିନ ଧରି ସ୍ପାଇସଜେଟ ବିମାନ ତା'ର ସଠିକ ସମୟରେ ବିମାନ ଚଳାଚଳ କରିବାରେ ବିଫଳ ରହିଛି । ଯାହାଫଳରେ ଯାତ୍ରୀମାନେ ହଇରାଣ ହରକତ ହେବା ସହିତ ପ୍ରଭାବିତ ହେଉଛି ବିମାନ ସେବା । ଯାତ୍ରୀମାନେ ସ୍ପାଇସଜେଟ ବିମାନ ସେବାରେ ଅସନ୍ତୁଷ୍ଟ ହେଉଥିବା ନଜର ଆସିଛି । ସେହିଭଳି ଗତକାଲି ନୂଆଦିଲ୍ଲୀରୁ ଝାରୁସୁଗୁଡା ଆସୁଥିବା ଏକ ସ୍ପାଇସଜେଟ୍ ବିମାନ ବାତିଲକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୁଇ ଦୁଇ ଥର ସମୟ ପରବର୍ତ୍ତନ କରିବା ପରେ ଶେଷରେ ଉଡାଣକୁ ବାତିଲ କରିଦେଇଥିଲା ସ୍ପାଇସଜେଟ । ଏହି ଖବର ପାଇବା ପରେ ଝାରୁସୁଗୁଡା ଆସିବା ପାଇଁ ବିମାନ ବନ୍ଦରରେ ଅପେକ୍ଷା କରିଥିବା ଯାତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।
ସୂଚନା ମୁତାବକ, ଗତକାଲି ଦିନ ୧୨ଟାରେ ଉକ୍ତ ସ୍ପାଇସଜେଟ ବିମାନ ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଝାରସୁଗୁଡାକୁ ଉଡାଣ ଭରିବାର ଥିଲା । ହେଲେ ବିମାନ ଉଡାଣ ଭରିନଥିଲା । ଏହାର କିଛି ସମୟ ପରେ ଯାତ୍ରୀଙ୍କୁ କୁହାଯାଇଥିଲା ରାତି ୮ଟାରେ ବିମାନ ଝାରସୁଗୁଡା ଯାତ୍ରା କରିବ । ହେଲେ ଶେଷରେ ବିମାନକୁ ବାତିଲ କରାଗଲା ବୋଲି ସ୍ପାଇସଜେଟ କର୍ତୃପକ୍ଷ ସୂଚନା ଦେଇଥିଲେ । ଅନ୍ୟପଟେ ଯାତ୍ରା ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ପାଇଁ କୌଣସି ବିକଳ୍ପ ସୁବିଧା କରାଯାଇନଥିବା ଅଭିଯୋଗ ହୋଇଛି । ବାତିଲ୍ ହୋଇଥିବା ସେହି ଫ୍ଲାଇଟରେ ବରଗଡ଼ ସାଂସଦ, ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ଭଳି ବ୍ୟକ୍ତିବିଶେଷ ଆସିବାର ଥିଲେ । ବିମାନ ବାତିଲ ହେବା ଯୋଗୁଁ ତାଙ୍କର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି ।