ଝାରସୁଗୁଡା:ଜିଲ୍ଲାର ବନହରପାଲିଠାରେ ଥିବା ଓପିଜିସିର ଶ୍ରମିକ ଓ କର୍ମଚାରୀମାନେ ବିଭିନ୍ନ ସମସ୍ୟାକୁ ନେଇ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ସମସ୍ୟାର ସମାଧାନ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଓପିଜିସିର କର୍ମଚାରୀମାନେ ପେନସନ ସ୍କିମ, ମେଡିକ୍ଲେମ ପଲିସି ଆଦି ଦାବି ସଂପର୍କରେ ପରିଚାଳନା କମିଟିକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଓପିଜିସିର 49 ପ୍ରତିଶତ ସେୟାର ଥାଇ ମଧ୍ୟ ଆମେରିକୀୟ କମ୍ପାନୀ ଏଇଏସ (AES) ସଂସ୍ଥା ହଜାର ହଜାର କୋଟି ଟଙ୍କା କ୍ଷତି କରିଥିବା ଅଭିଯୋଗ ଆସିଥିଲା । ଏହାପରେ ରାଜ୍ୟ ସରକାର ନିଜ ହାତକୁ ସମ୍ପୂର୍ଣ୍ଣ ପରିଚାଳନା ଭାର ନେବାକୁ ନିଷ୍ପତ୍ତି ନେଇଥିଲେ । ତଥାପି ଏଇଏସ ଅଧୀନରେ ଥିବା କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ପୁଣି ଥରେ ଓପିଜିସିରେ ନିଯୁକ୍ତ ହେଉଥିବାରୁ ଓପିଜିସିର କର୍ମଚାରୀମାନେ ନିଜ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ।