ଓଡିଶା

odisha

ETV Bharat / state

କେବେ ସରିବ ଝାରସୁଗୁଡା ବସ୍‌ଷ୍ଟାଣ୍ଡ ନିର୍ମାଣ କାମ, ବିତିଲାଣି 7 ବର୍ଷ

ଅର୍ଦ୍ଧନିମିତ ଅବସ୍ଥାରେ ପଡିରହିଛି ଝାରସୁଗୁଡାର ନୂଆ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ। ଦୀର୍ଘ 7 ବର୍ଷ ପରେ ମଧ୍ୟ ବସଷ୍ଟାଣ୍ଡର ନିର୍ମାଣ ଶେଷ ହୋଇପାରିନି ।

By

Published : Feb 9, 2019, 5:28 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଅର୍ଦ୍ଧନିମିତ ଅବସ୍ଥାରେ ଝାରସୁଗୁଡାର ନୂଆ ବସ୍‌ଷ୍ଟାଣ୍ଡ । ଦୀର୍ଘ 7 ବର୍ଷ ପରେ ମଧ୍ୟ ଶେଷ ହୋଇ ପାରୁନାହିଁ ଏହାର ନିର୍ମାଣ କାର୍ଯ୍ୟ। ଫଳରେ ସୁବିଧାଜନକ ବସ୍‌ ସେବା ପାଇବା ଜିଲ୍ଲାବାସୀଙ୍କ ସ୍ୱପ୍ନ ପାଲଟିଛି।

ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଶିଳ୍ପସଂସ୍ଥା ପ୍ରତି ଅନୁଗ୍ରହ ଓ ଅନୁକମ୍ପା ଏବଂ ଠିକାଦାର ପ୍ରୀତି ଯୋଗୁଁ ଲୋକଙ୍କ ହିତ ଉଦ୍ଦେଶ୍ୟରେ ବିନିଯୋଗ ହେଉଥିବା ଟଙ୍କା ଏବେ ଆତ୍ମସାତ ହେବାରେ ଲାଗିଛି । ଫଳରେ 7 ବର୍ଷ ହେବ ଝାରସୁଗୁଡାର ଧୁତୁରା ରୋଡ୍‌ରେ ନିର୍ମାଣ ହେଉଥିବା ନୂଆ ବସ୍‌ଷ୍ଟାଣ୍ଡର କାମ ସରୁନାହିଁ । ଓଲଟା କେବଳ ପାଚେରୀ ଓ ପିଲର ନିର୍ମାଣରେ ସରିଯାଇଛି ପ୍ରାୟ 7 କୋଟି ଟଙ୍କା ।

2012-13ରୁ ଆରମ୍ଭ ହୋଇଥିବା ଏହି ଯୋଜନା ପାଇଁ ମିଳିଥିବା ଟଙ୍କା ଠିକ୍‌ ବାଟରେ ବିନିଯୋଗ ନ ହେବାରୁ ଅବଶିଷ୍ଟ କିସ୍ତି ଦେବାକୁ ମନା କରିଦେଇଛି ରାଷ୍ଟ୍ରାୟତ୍ତ କମ୍ପାନୀ ଏମ୍‌ସିଏଲ୍‌। ପୁରୁଣା ବସଷ୍ଟାଣ୍ଡ ରେଲୱେ ଜମିରେ ଥିବାରୁ ଏହାକୁ ବିକଶିତ କରାଯାଇପାରୁ ନଥିବା ବେଳେ ନୂଆ ବସଷ୍ଟାଣ୍ଡ ଶେଷ ନ ହୋଇ ପଡିରହିବା ଏବେ ଏକ ଦୁର୍ଭାଗ୍ୟଜନକ ବିଷୟ ପାଲଟିଛି।

ପ୍ରକାଶ ଯେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ(ଏମ୍ସିଏଲ୍) ନିଜ ସିଏସ୍ଆର ପାଣ୍ଠିରୁ ୫ କୋଟି ଏବଂ ବେଦାନ୍ତ ନିଜ ସିଏସ୍ଆର ପାଣ୍ଠିରୁ ୨ କୋଟି ଟଙ୍କା ଦେବାକୁ ସମହତି ପ୍ରକାଶ କରିଥିଲା। ହେଲେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ଏହାର ସିଂହଭାଗ ଅର୍ଥାତ ୭ କୋଟି ଟଙ୍କା ଏମ୍‌ସିଏଲ୍ ଏବଂ ବେଦାନ୍ତ ପ୍ରଦାନ କରିବାକୁ ସହମତି ପ୍ରକାଶ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏହାପରେ ପାଣ୍ଠି ବ୍ୟୟକୁ ନେଇ ପାରିପାର୍ଶ୍ୱିକ ଉନ୍ନୟନ କମିଟି ମଧ୍ୟ ଆଗ୍ରହ ପ୍ରକାଶ କରିଥିଲା। ଫଳରେ କମିଟି ଅନୁମୋଦନକ୍ରମେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କନକାଷ୍ଟ ଷ୍ଟିଲ୍ ଆଣ୍ଡ ପାୱାରକୁ ପ୍ରଦାନ କରାଯାଇଥିଲା । ହେଲେ କନକାଷ୍ଟ ନିଜେ ନିର୍ମାଣ କାର୍ଯ୍ୟ ନ କରି ବାଲାଜି କନଷ୍ଟ୍ରକ୍ସନ୍ ନାମକ ଏକ ଠିକାସଂସ୍ଥାକୁ ହସ୍ତାନ୍ତର କରିଥିଲା ।

ଏତେ ସମସ୍ତ ଅସୁବିଧା ପରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୁନଶ୍ଚ ବ୍ୟୟ ଅଟକଳର ସଂଶୋଧନ ହୋଇଥିଲା । ଯେଉଁଥିରେ 12 କୋଟି 90 ଲକ୍ଷ ଟଙ୍କା ଦର୍ଶାଯିବା ପରେ ଆପତ୍ତି ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ପରେ ଅଟକଳ ମୂଲ୍ୟର ଅବଶିଷ୍ଟ ଅର୍ଥ ଦେବାକୁ ମନା କରିଦେଇଥିଲା ଏମ୍‌ସିଏଲ୍‌ । ତେଣୁ ବାକି ଥିବା ନିର୍ମାଣ କାର୍ଯ୍ୟକୁ ସାରିବା ପାଇଁ ଏବେ ଡିଏମ୍‌ଏଫ୍‌ଓ ପାଣ୍ଠିରୁ 7 କୋଟି 88 ଲକ୍ଷ 10 ହଜାର ଟଙ୍କା ବିନିଯୋଗ କରାଯାଉଛି।

ଏ ସମସ୍ତ ଘଟଣାବଳୀକୁ ଦେଖି ପ୍ରଶ୍ନ ଉଠୁଛି କି ପାରିପାଶ୍ୱିର୍କ ଉନ୍ନୟନ ପାଣ୍ଠିରୁ ଏକ ଉନ୍ନୟନ ମୂଳକ ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ସଠିକ୍ ଠିକାଦାରଙ୍କ ହାତରେ ନଛାଡିବା କେତେଦୂର ଠିକ୍ ?

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details