ଝାରସୁଗୁଡା: ସରକାରଙ୍କ ବିଭିନ୍ନ ଯୋଜନା, ଚାଇଲ୍ଡ ଲାଇନର ଅନେକ ସଚେତନତା ସତ୍ତ୍ବେ ରାଜ୍ୟରେ ବାରମ୍ବାର ଆସୁଛି ଶିଶୁବିକ୍ରୀ ଅଭିଯୋଗ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ସହରର ଏକାତାଲିରେ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା ସୂଚନା ଅନୁସାରେ ଏକାତାଲିରେ ରହୁଥିବାଦମ୍ପତିଙ୍କଗତକାଲି ଜିଲ୍ଲା ଚିକିତ୍ସାଳୟରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ପରେ ଶିଶୁପୁତ୍ରକୁ ଧରି ଦମ୍ପତି ଘରକୁ ଫେରିଥିଲେ ଏବଂ ଶିଶୁଟିକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ଯୋଜନା ଅନୁସାରେ ଛତିଶଗଡର ସନ୍ତୋଷ ରଜକ ନାମକ ଜଣେ ବ୍ୟକ୍ତିଙ୍କୁ ସେ ପିଲା ବିକ୍ରି କରିଥାନ୍ତେ। ଏଥିପାଇଁ ଆବଶ୍ୟକ କଥାବାର୍ତ୍ତା ପୂର୍ବରୁ ସରିଥିଲା ଓ ସନ୍ତୋଷ ରଜକ ମଧ୍ୟ ଯୋଜନା ମୁତାବକ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ତେବେ ଜିଲ୍ଲା ଚାଇଲ୍ଡ ଲାଇନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଜଣାଇଥିଲା। କିନ୍ତୁ ବିକ୍ରି କଥାକୁ ଶିଶୁପୁତ୍ରର ପିତା ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁସାରେ ପରିବାରରେ ଆର୍ଥିକ ଅନଟନ ଥିବାବେଳେ ତାଙ୍କର ପୂର୍ବରୁ ଗୋଟିଏ 14 ମାସର ଶିଶୁ ପୁତ୍ର ଅଛି, ତେଣୁ ଲାଳନ ପାଳନରେ ଅସମର୍ଥ ପାଇଁ ଶିଶୁଟିକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟ ପରିବାର ଶିଶୁବିକ୍ରିକୁ ଖଣ୍ଡନ କରିଛନ୍ତି ।
ଜିଲ୍ଲା ଚାଇଲ୍ଡ ଲାଇନ ଓ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ସିଡବ୍ଲୁସି ସଦସ୍ୟ କହିଛନ୍ତି ଶିଶୁଟିକୁ ସିଡବ୍ଲୁସିରେ ଉପସ୍ଥାନ କରାଯିବ ଓ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ