ଝାରସୁଗୁଡା:ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ଗୁଜୁରାଟ ଗାନ୍ଧିନଗରରେ ସରିଲା ଅଭିଯୁକ୍ତ ଗୋପାଳର ନାର୍କୋ ଟେଷ୍ଟ । ଶନିବାର ଦିନ ଗୋପାଳର ନାର୍କୋ ଟେଷ୍ଟ ଶେଷ ହୋଇଥିବା କୁହାଯାଉଛି । ତେବେ ଆଜି ଗୋପାଳକୁ ଝାରସୁଗୁଡା ଅଣାଯିବା ନେଇ ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ନବ ଦାସଙ୍କୁ ହତ୍ୟା କରିବାର ୧୪ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଖାଲି ରହିଛି କ୍ରାଇମବ୍ରାଞ୍ଚର ହାତ । ୩ ଥର ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଟିମ ଜେରା କରୁଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ଉଠାଇବାରେ ବିଫଳ ପୋଲିସ । ୩ଥର ରିମାଣ୍ଡ ସମୟରେ ଗୋପାଳର ନାର୍କୋ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ଟିମ । ଅଦାଲତଙ୍କ ଅନୁମତି ଏବଂ ଅଭିଯୁକ୍ତଙ୍କ ସହମତି ପରେ ପଲିଗ୍ରାଫ ଏବଂ ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ଗୁଜୁରାଟ ନିଆଯାଇଥିଲା । ଏଥିପାଇଁ ତିନିଦିନ ହେବ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଆଠଜଣିଆ ଦଳ ଗାନ୍ଧୀନଗରରେ କ୍ୟାମ୍ପ କରିଥିଲେ ।
ପୂର୍ବରୁ ପଲିଗ୍ରାଫ ଟେଷ୍ଟ ସରିଥିବା ବେଳେ ଶନିବାର ନାର୍କୋ ଟେଷ୍ଟ କରାଯାଇଛି । ଅଚେତନ ଅବସ୍ଥାରେ ଗୋପାଳ ସବୁ ସତ କହିଥିବା କୁହାଯାଉଛି । କ୍ରାଇମବ୍ରାଞ୍ଚ ଟିମ ତିଆରି କରିଥିବା ସବୁ ପ୍ରଶ୍ନର ଉତ୍ତର ଅଭିଯୁକ୍ତ ଗୋପାଳ ଦେଇଥିବା ନେଇ କୁହାଯାଉଛି । ତେବେ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସୁଛି । ନାର୍କୋ ଟେଷ୍ଟ ସମୟରେ ଗାନ୍ଧିନଗର ଲ୍ୟାବର ଅଧିକାରୀମାନେ ତଦନ୍ତକାରୀ ଅଧିକାରୀଙ୍କୁ ଭିତରକୁ ଯିବାକୁ ଦେଇନଥିଲେ । କ୍ରାଇମବାଞ୍ଚ ଟିମ ପକ୍ଷରୁ ଲିଖିତଭାବେ ଦିଆଯିବା ପରେ ଲ୍ୟାବର ମନୋବିଜ୍ଞାନୀ, ଡାକ୍ତର ଓ ଫରେନସିକ ଏକ୍ସପୋର୍ଟମାନେ ଗୋପାଳକୁ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନୋତ୍ତର ସମୟର ଭିଡିଓ ରେକର୍ଡ କରାଯାଇଥିଲା । ତେବେ ସେହି ଭିଡିଓକୁ କୋର୍ଟରେ ଦାଖଲ କରିବେ ଲ୍ୟାବ ଅଧିକାରୀ ।