ଝାରସୁଗୁଡ଼ା: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟାକଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ । ଏହି ରିପୋର୍ଟରେ ହତ୍ୟା ସମ୍ପର୍କିତ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଆଉ ରିପୋର୍ଟ ଅନୁସାରେ ମନୋଜ ବରିହା ନାମକ ଜଣେ ବ୍ୟକ୍ତି ଗୋପାଳଙ୍କୁ ଜୀବନପ୍ରତି ବିପଦ ଥିବାନେଇ ଡରାଇଥିଲେ । ଆଉ ସେଥିପାଇଁ ଗୋପାଳ ନବ ଦାସଙ୍କୁ ହତ୍ୟା କରିବାକୁ ନିଷ୍ପତି ନେଇଥିଲା ବୋଲି ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରେ ପ୍ରକାଶ ପାଇଛି ।
ଗୋପାଳକୁ ଡରାଇଥିଲେ ମନୋଜ !: ଗୁଜରାଟ ଗାନ୍ଧୀନଗରସ୍ଥିତ ଡାଇରେକ୍ଟୋରେଟ୍ ଅଫ୍ ଫରେନ୍ସିକ ସାଇନ୍ସରେ ହୋଇଥିଲା ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ ଟେଷ୍ଟ୍ । ଏବେ ସାମ୍ନାକୁ ଆସିଥିବା ଏହି ରିପୋର୍ଟ ଅନୁସାରେ ନବ ଦାସଙ୍କ ଲୋକ ଭାବରେ ଗୋପାଳକୁ ଧମକାଇଥିଲେ ମନୋଜ ବରିହା ନାମକ ବ୍ୟକ୍ତି । ଆଉ ସେଥିପାଇଁ ସେ ନବ ଦାସଙ୍କୁ ହତ୍ୟା କଲା । ତେବେ ଗାନ୍ଧୀଛକରେ ୨ ବର୍ଷ ପାଇଁ ପୋଷ୍ଟିଂ ପାଇଥିବା ସମୟରେ ମନୋଜ ବରିହାଙ୍କ ସଂସ୍ପର୍ଷରେ ଆସିଥିଲା ଗୋପାଳ । ଝାରସୁଗୁଡା ଜିଲ୍ଲା ହସ୍ପିଟାଲରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ ମନୋଜ । ହତ୍ୟାକାଣ୍ଡର ପ୍ରାୟ ୪ ମାସ ପୂର୍ବରୁ ଥରେ ମନୋଜ ଓ ଗୋପାଳ ବଡ଼ଭାଇ ସହ ଏକାଠି ମଦ ପିଇବାବେଳେ ଗୋପାଳକୁ ଧମକାଇଥିଲେ ମନୋଜ । ଦାଦା (ନବ କିଶୋର ଦାସ) ଆପଣଙ୍କ ଉପରେ ଖୁସି ନାହାନ୍ତି ବୋଲି ଗୋପାଳକୁ କହିଥିଲେ ମନୋଜ । ଯେଉଁଥିପାଇଁ ଗୋପାଳର ଜୀବନ ପ୍ରତି ବିପଦ ରହିଛି ବୋଲି ମଧ୍ୟ କହିଥିଲେ । ଗୋପାଳକୁ ମନୋଜ ବାରମ୍ବାର ଏହି କଥା କହିଥିଲେ, ଯାହା ଗୋପାଳକୁ ଭୟଭୀତ କରିଥିଲା ।
ଗୋପାଳ ଘରକୁ ଗୁଣ୍ଡା ପଠାଇଥିଲେ ନବ !: ପଲିଗ୍ରାଫ ଟେଷ୍ଟ ସମୟରେ ଗୋପାଳ ସମଲେଶ୍ବରୀ ମନ୍ଦିର ଯାଇ ନବଙ୍କୁ ହତ୍ୟା କରିବାକୁ ଶପଥ ନେବା କଥା ମଧ୍ୟ କହିଛି । ନବଙ୍କ ଆଡୁ ଜୀବନ ପ୍ରତି ଭୟ ଆଶଙ୍କା କରି ନିଜ ବଡ଼ଭାଇଙ୍କ ସହ ମୁଣ୍ଡନ ହେଲାବେଳେ ନବଙ୍କୁ ହତ୍ୟା କରିବାକୁ ମାନସିକ କରିଥିଲା ଗୋପାଳ । ଜାନୁଆରୀ ୧୩ କିମ୍ବା ୧୪ ତାରିଖରେ ନବ ଦାସ କିଛି ପିଲାଙ୍କୁ ଗୋପାଳ ଘରକୁ ପଠାଇଥିଲେ । ସେମାନେ ଗୋପାଳ ଘର ଗେଟ୍ ଆଗରେ ପରିଶ୍ରା କରି ଚାଲିଯାଇଥିଲେ ବୋଲି ମଧ୍ୟ ପଲିଗ୍ରାଫ ଟେଷ୍ଟ୍ ସମୟରେ କହିଛି ଗୋପାଳ । ଏହି ସମୟରେ ଘରେ ଗୋପାଳର ପୁତୁରା ଥିଲେ ଓ ସେ ଖୁବ ଭୟଭୀତ ହୋଇପଡିଥିଲେ ବୋଲି ଗୋପାଳ ସୂଚନା ଦେଇଛି । ଏହି ଘଟଣା ପରେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଗୋପାଳ ଦୁଇଥର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା । ଶେଷରେ ଜାନୁଆରୀ ୨୯ ତାରିଖରେ ନବଙ୍କୁ ହତ୍ୟା କରିବାକୁ ସମର୍ଥ ହେଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଏହି ପଲିଗ୍ରାଫ ଟେଷ୍ଟ ସମୟରେ ନବ ଦାସ ହତ୍ୟାକାଣ୍ଡ ନେଇ ଗୋପାଳକୁ ୨୬ଟି ପ୍ରଶ୍ନ ପଚରାଯାଇଥିଲା । ଏଥିରୁ ସେ ୧୩ଟିର ଉତ୍ତର ହଁ ଏବଂ ୧୩ ଉତ୍ତରରେ ନାଁ କହିଥିଲା ବୋଲି ଜଣାପଡ଼ିଛି ।