ଝାରସୁଗୁଡା:ମଙ୍ଗଳବଜାର ହସ୍ପିଟାଲର ହେବ ରୂପାନ୍ତରୀକରଣ । ଏନେଇ ଗତକାଲି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି ବିଧାୟିକା ଦୀପାଳି ଦାସ । ଗତ କିଛିଦିନ ହେବ ବିଭିନ୍ନ ଗଣମାଧ୍ୟମରେ ମଙ୍ଗଲବଜାର ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯାଉ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗକୁ କେନ୍ଦ୍ର କରି ଦାବିପତ୍ର ପ୍ରଦାନ କରାଯାଇଛି ।
ତେବେ ଏହାକୁ ନେଇ ବିଧାୟିକା ଦୀପାଲି ଦାସ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହିତ ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଜିଲ୍ଲାପାଳ ଏହି ସମସ୍ୟାର ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ବୋଲି ବିଧାୟିକା କହିଛନ୍ତି । ବାପା ଯେତେବେଳେ ଝାରସୁଗୁଡାରେ ବିଧାୟକ ଓ ମନ୍ତ୍ରୀ ଥିଲେ ସେ ସମୟରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିଚାଲିଥିଲେ । ମୁଁ ବି ମଧ୍ୟ ସ୍ଥାନୀୟ ଲୋକଙ୍କ ଲୋକଙ୍କ ପାଇଁ କାର୍ଯ୍ୟ କରିବି ବୋଲି ବିଧାୟିକା କହିଛନ୍ତି ।
ଏହା ସହିତ ଗତ ଗୁରୁବାର ଦିନ ବିଜେପି ନେତାଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ଗତକାଲି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଜ ମତ ରଖିଥିଲେ ବିଧାୟିକା ଦୀପାଳି ଦାସ । ଗତ ୨୦ ତାରିଖରେ ବିଜେପି ନେତା ବିଟିଏମ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ଵର୍ଗତ ନବ ଦାସଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ସେ ସମୟରେ ସ୍ଵାସ୍ଥ୍ୟମନ୍ତ୍ରୀ ଥିବା ସ୍ଵର୍ଗତ ନବ ଦାସ ଝାରସୁଗୁଡାବାସୀଙ୍କୁ ଭୁଆଁ ବୁଲାଇଛନ୍ତି । ମଙ୍ଗଲବଜାର ହସ୍ପିଟାଲର ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ ହେଲେ ତାହା ଏପର୍ଯ୍ୟନ୍ତ ହୋଇ ପାରି ନାହିଁ । ଏହାକୁ ନେଇ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ଝାରସୁଗୁଡା ବିଧାୟିକା ଦୀପାଳି ଦାସ ।