ଝାରସୁଗୁଡା: ପଞ୍ଚଭୂତରେ ବିଲୀନ ହେଲେ ସ୍ବସ୍ଥ୍ୟମନ୍ତ୍ରୀ ନବ ଦାସ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କର୍ମଭୂମି ଝାରସୁଗୁଡା ଖେରୁଆଲରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର ହଜାର ସମର୍ଥକଙ୍କଠୁ ବିଦାୟ ନେଇଛନ୍ତି ନବ ଦାସ । ଶେଷ ଦର୍ଶନ ପାଇଁ ମୁଖ୍ୟ ଶାସନ ସଚିବ ଭିକେ ପାଣ୍ଡିଆନ ଖେରୁଆଲ ଠାରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୁଅ ବିଶାଲ ଦାସ ମୁଖାଗ୍ନି ଦେଇ ନିଜ ପିତାଙ୍କ ମୁକ୍ତି କାମନା କରିଛନ୍ତି । ସମସ୍ତ ବଡ଼ ବଡ଼ ରାଜନେତା ଆଜି ନବ ଦାସଙ୍କୁ ଗଭୀରତାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ନବ ଦାସଙ୍କ ଶେଷ ଦର୍ଶନ କାର୍ଯ୍ୟକ୍ରମ ପରେ ତାଙ୍କ ବାସଭବନରୁ ବେହେରାମାଲକୁ ମରଶରୀରକୁ ଅଣାଯାଇଥିଲା । ସେଠାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଜନସାଧାରଣ ତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ପରେ ଖେରୁଆଲ ଅଭିମୁଖେ ବାହାରିଥିଲା ପାର୍ଥିବ ଶରୀର । ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେଇ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଛି ।
ଅନ୍ୟପଟେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଉପ ବାଚସ୍ପତି ରଜନୀକାନ୍ତ ସିଂ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଶେଷ ଦର୍ଶନ କରିଥିଲେ । ନିଜର ପ୍ରିୟ ସାଥୀଙ୍କୁ ଶେଷ ବିଦାୟୀ ଜଣାଇବା ପାଇଁ ବିଧାନସଭା ପରିସରରେ ପ୍ରାୟ ୭୦ରୁ ଅଧିକ ବିଧାୟକ ଏବଂ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ବାଚସ୍ପତି ଏବଂ ଉପ ବାଚସ୍ପତିଙ୍କ ପରେ ଜଣେଜଣେ ମନ୍ତ୍ରୀ ଏବଂ ବିଧାୟକ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୂରା ପରିବେଶ ଦୁଃଖ ଏବଂ କୋହରେ ଭିଜିଥିଲା । ନବ ଦାସ ଅମର ରହେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ବିଧାନସଭା ପରିସର । ସବୁ ନେତା ମନ୍ତ୍ରୀ ସ୍ତବ୍ଧ ହୋଇଯାଇଥିବା ବେଳେ କାହାର ପାଟିରୁ ମଧ୍ୟ ଶବ୍ଦ ବାହାରୁ ନଥିଲା । ସ୍ବାସ୍ଥ୍ୟ କ୍ଷେତ୍ରରେ ଅପୂର୍ବ ପରିବର୍ତ୍ତନ ଆଣିବାକୁ ସ୍ବପ୍ନ ଦେଖୁଥିବା ଲୋକ ଯେ ଏତେ ଶୀଘ୍ର ଆରପାରିକୁ ଚାଲିଯିବ କେହି ମଧ୍ୟ ବିଶ୍ବାସ କରିପାରୁନାହାନ୍ତି । ବିଧାନସଭାରେ ଶେଷ ଦର୍ଶନ ପରେ ତାଙ୍କ ଶରୀରକୁ ତାଙ୍କ ବାସଭବନକୁ ନିଆଯାଇଥିଲା ।