ଝାରସୁଗୁଡା: ଧାନ ସଂଗ୍ରହରେ ଅବ୍ୟବସ୍ଥା ନେଇ ଚାଷୀ ଆନ୍ଦୋଳନ । ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ । ଝାରସୁଗୁଡା ଜିଲ୍ଲାର ସୀମାନ୍ତବର୍ତ୍ତି ଚାଷୀ ଚଳିତବର୍ଷ ଧାନମଣ୍ଡିର ଅବ୍ୟବସ୍ଥା ଓ ଧାନ କିଣାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ନେଇ ଛତିଶଗଡ଼ ସୀମାନ୍ତ କନକତୋରାରେ ଚାଷୀ ଆନ୍ଦୋଳନରେ ବସିଥିଲେ ।
ଶନିବାର ପଞ୍ଚମ ଦିନରେ ଚାଷୀ ଆନ୍ଦୋଳନ ପହଞ୍ଚିଥିବା ପରେ ଜିଲ୍ଲା ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ। ଚଳିତ ଖରିଫରେ ଧାନ ବିକ୍ରି କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଉପାନ୍ତ ଅଞ୍ଚଳର ରେମତା, ଚାରପାଲି ଓ କନକ ତୋରା ସମବାୟ ସମିତିର ଚାଷୀ ଗତ ୨୩ ତାରିଖଠାରୁ ରାଜପଥ ଅବରୋଧ କରିବା ସହ ହଜାର ହଜାର ଧାନ ବସ୍ତା ରାସ୍ତା ଉପରେ ରଖିଥିଲେ ।
ଲ୍ୟାପ୍ ହୋଇଥିବା ଟୋକକୁ ପୁନଃ କାର୍ଯ୍ୟକ୍ଷମ କରିବା, ପଞ୍ଜିକୃତ ଚାଷୀଙ୍କ ଧାନକ୍ରୟ ସହିତ ଅଯଥାରେ କଟନି ଛଟନି ବନ୍ଦ ଦାବି ନେଇ ଲିଖିତ ପ୍ରତିଶୃତି ଦେବାକୁ ଚାଷୀମାନେ ଦାବି କରିଥିଲେ । ଏ ନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅବଗତ କରିବା ସତ୍ତ୍ବେ ଅଞ୍ଚଳର ଚାଷୀଙ୍କ ସମସ୍ୟା ସମାଧାନ କରିବାରେ ପ୍ରଶାସନ ବିଫଳ ହେବାରୁ ବାଧ୍ୟ ହୋଇ ଏପରି ପଦକ୍ଷେପ ନେଇଥିବା ଚାଷୀମାନେ କହିଛନ୍ତି ।