ଭୁବନେଶ୍ବର/ଝାରସୁଗୁଡା:ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ 5 ଦିନ ବିତିଯାଇଥିଲେ ସୁଦ୍ଧା ରହସ୍ୟ ଉପରୁ ହଟିପାରୁନି ପରଦା । ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ପଛରେ କେବଳ ଗୋପାଳ ଦାସ ନା ଆଉ କିଏ ଅଛନ୍ତି, ଏହାର ଖିଅ ଖୋଜିବା ପାଇଁ ତନାଘନା ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଆଜି କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କ ଝାରସୁଗୁଡା ସ୍ଥିତ ଭଡାଘରେ ପହଞ୍ଚି ତନାଘନା ଆରମ୍ଭ କରିଛି ।
ଭଡାଘରୁ କିଛି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି । କାରଣ ଗୋପାଳ ନବ ଦାସଙ୍କୁ ହତ୍ୟା କରିବା ଦିନ ଅର୍ଥାତ ରବିବାର ଯାଏଁ ସେ ଏହି ଭଡା ଘରେ ରହୁଥିଲେ । ତେଣୁ ସେହି ଘରେ କିଛି ସୁରାକ ମିଳିଯାଇପାରେ ବୋଲି ଆଶଙ୍କା କରାଯାଉଛି । ସେଥିପାଇଁ ଗୋପାଳକୁ ତାଙ୍କ ଭଡାଘରକୁ ଆଣି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ ।
ପ୍ରକାଶଯୋଗ୍ୟ ଯେ, ହତ୍ୟାକାଣ୍ଡର ସୁରାକ ଖୋଲିବ କି କାଗଜ ଟୁକୁରା ? ଝାରସୁଗୁଡା ବିମାନବନ୍ଦରରେ ଥିବା ଫାଇଖାନାର ଟାଙ୍କି ଖୋଳି ଏହି କାଗଜ ଟୁକୁରାକୁ ଜବତ କରିଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଗୋପାଳ ଖୁଲାସା କରିଛି ଯେ, ହତ୍ୟାକାଣ୍ଡ ପଛର କାରଣ ସେ ଏହି କାଗଜରେ ଲେଖିଥିଲା, ଯାହାକୁ ସେ ଚିରି ଫ୍ଲସ କରିଦେଇଥିଲା । ତେବେ ସ୍ବାସ୍ଥ୍ୟମନ୍ତ୍ରୀ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି ।
୧.ବଡ ପ୍ରଶ୍ନ ଉଠୁଛି ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ । ଯେତେବେଳେ ଗୋପାଳକୁ ଗିରଫ କରାଗଲା ସେତେବେଳେ ପୋଲିସ କାହିଁକି ତାଙ୍କୁ ଯାଞ୍ଚ କଲା ନାହିଁ । ବାଥରୁମ ଯିବାକୁ କହି ସମୟ ଖୋଜି ଗୋପାଳ ଏହି କାଗ଼ଜକୁ ନଷ୍ଟ କରି ଦେଇଥିଲା । ଯଦି ପୋଲିସ ସେତେବେଳେ ଗୋପାଳକୁ ଯାଞ୍ଚ କରିଥାନ୍ତା ତେବେ ଏହି କାଗଜ ସବୁ ମିଳିଥାନ୍ତା । ହୁଏତ ହତ୍ୟାକାଣ୍ଡ ପଛର ସତ ଜଣାପଡିଥାନ୍ତା ।
୨.ଗୋପାଳକୁ ଜେରା ବେଳେ ସେ ରହୁଥିବା ଘର ସମ୍ପର୍କରେ କିଛି କହିଥିବା ଅନୁମାନ କରାଯାଉଛି । ସେଥିପାଇଁ ଆଜି କ୍ରାଇମବ୍ରାଞ୍ଚର ଟିମ ଗୋପାଳ ଦାସଙ୍କ କ୍ବାଟରରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଅନୁମାନ କରାଯାଉଛି ଏହି ଘରୁ ପୋଲିସକୁ କିଛି ହତ୍ୟାକାଣ୍ଡର ସୁରାକ ମିଳିପାରେ । ତେବେ ଏହି ଭଡା ଘରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।