ଝାରସୁଗୁଡା: ଜାଲ ନୋଟ କାରବାରର ପର୍ଦ୍ଦାଫାସ। ୯୬ ହଜାର ୩୦୦ ଟଙ୍କା ଜାଲ ନୋଟ, ନୋଟ ଛାପିବା ମେସିନ ଜବତ କରିବା ସହ ବନହରପାଲି ପୋଲିସ 3 ଜଣଙ୍କୁ ଗିରଫ କରିଛ। ପେଟ୍ରୋଲ ପମ୍ପରେ ବାଇକରେ ତେଲ ଭରିବା ସମୟରେ ନକଲି ଶହେ ଟଙ୍କିଆ 2ଟି ନୋଟ ଦେବାରୁ ଧରାପଡିଥିଲା ଜାଲ ନୋଟ ।
ଜାଲ ନୋଟ କାରବାରର ପର୍ଦ୍ଦାଫାସ, ୯୬ ହଜାର ଜାଲ ନୋଟ ସହ 3 ଗିରଫ ବନ୍ଧବାହାଲରେ ଥିବା ସ୍ବାଧୀନ କମ୍ପ୍ଲେକ୍ସରେ ଥିବା ଏକ ପେଟ୍ରୋଲ ପମ୍ପକୁ ଖଡାମ ଗାଁର ମହମ୍ମଦ ଅଜମାଲ ଗତକାଲି (ଶୁକ୍ରବାର)ସକାଳ 10ଟାରେ ତେଲ ଭରିବାକୁ ଯାଇ ଦୁଇଟି 100ଟଙ୍କିଆ ନକଲି ନୋଟ ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ କୌଶଳ କ୍ରମେ ପେଟ୍ରୋଲ ପମ୍ପ କର୍ମଚାରୀ ଅଜମାଲକୁ ଅଟକାଇ ମାଲିକଙ୍କୁ ଖବର ଦେଇଥିଲେ। ମାଲିକ ତୁରନ୍ତ ପୋଲିସକୁ ସୂଚନା ଦେବା ପରେ ବନ୍ଧବାହାଲ ଫାଣ୍ଡି ଓ ବନହରପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଜମାଲକୁ କାବୁ କରି ତଦନ୍ତ ଆରମ୍ଭ କରିଥିଲେ।
ତେବେ ଏହି ଘଟଣାରେ ଅଟକଙ୍କୁ ପଚରାଉଚରା ପରେ ସମ୍ବଲପୁର ଜିଲ୍ଲା ବାମରାରେ ଏହି ନୋଟ କାରବାର ଚେର ଥିବା ଜାଣି ସେଠାରେ ପୋଲିସ ଚଢ଼ାଉ କରିଥିଲା। ନକଲି ନୋଟ ଛପାରେ ବ୍ୟବହୃତ କମ୍ପ୍ୟୁଟର, ପ୍ରିଣ୍ଟର,ଜାଲ ନୋଟ ଛପାର ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ। ବାମରା ଅଞ୍ଚଳରେ ରହି ନକଲି ନୋଟରେ ବ୍ୟବହାର କାଗଜ, ସ୍କେନର ମେସିନ, ପ୍ରିଣ୍ଟର ଆଦି ସାମଗ୍ରୀରୁ ପାଞ୍ଚଶହ ଓ ଏକ ଶହ ଟଙ୍କିଆ ନକଲି ନୋଟ ଛାପି ବ୍ୟବହାର କରୁଥିଲେ । ଏହାର ତଦନ୍ତ କରିବା ସହ ନକଲି ଏକ ଶହ ଟଙ୍କିଆ ୯୧୮ ଟି ଓ ନକଲି ପାଞ୍ଚଶହ ୯ଟି ନୋଟ ଜବତ କରିଛି । ଆଜି ଏହି ମାମାଲାରେ ଅଜମାଲ ସହ ଅନ୍ୟ ଦୁଇ ଜଣ ମହମ୍ମଦ ଇରଫାନ, ଇସ୍ତିଫାକ ଅନସାରିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏସପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ଅବସରରେ କରୋନା ଲକଡାଉନ ସମୟରେ ଏହି କାରବାର ଆରମ୍ଭ ହୋଇଥିଲା ବୋଲି ସୂଚନା ଦେଇଛନ୍ତି।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ