ଝାରସୁଗୁଡ଼ା: ବିଜେଡିରୁ ବହିଷ୍କୃତ ହୋଇଥିବା ଅନୁପ ସାଏଙ୍କ ଡବଲ ମର୍ଡର ଘଟଣାରେ ଛତିଶଗଡ ରାୟଗଡ଼ ଏସପିଙ୍କ ପ୍ରେସମିଟ୍ । ଛତିଶଗଡ଼ ପୋଲିସ ଦ୍ବାରା ବିଜେଡି ନେତା ଅନୁପ କୁମାର ସାଏ ଗିରଫ ଘଟଣାରେ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରାୟଗଡ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ । 2016ରେ ଏକ ଡବଲ ମର୍ଡର ମାମଲାରେ ଛତିଶଗଡ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହି ଘଟଣା ପରେ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦବୀରୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିଥିଲେ । ଏନେଇ ଏକ ପ୍ରେମମିଟ କରିଛନ୍ତି ରାୟଗଡ଼ ଏସପି ।
ଏହି ପ୍ରେସମିଟ ଜରିଆରେ ରାୟଗଡ଼ ଏସପି କହିଛନ୍ତି ଯେ ବର୍ତ୍ତମାନ ଅଧିକ ପଚରା ଉଚୁରା ପାଇଁ ପୋଲିସ ରିମାଣ୍ଡରେ ଅନୁପଙ୍କୁ ଆଣିବ । ଏହାସହ ଅନୁପଙ୍କ ନାର୍କୋଟିକ ପରୀକ୍ଷଣ ମଧ୍ୟ କରାଯିବ । କିନ୍ତୁ କେମିତି ଥିଲା ଅନୁପଙ୍କ ପ୍ରେମକାହାଣୀ ସବୁକିଛି ପୋଲିସ ସମ୍ମୁଖରେ ମାନିଛନ୍ତି ପୂର୍ବତନ ବିଧାୟକ । ୨୦୦୨ରେ ବ୍ରଜରାଜ ନଗର ଅଞ୍ଚଳର କଳ୍ପନା ଦାସ ଓ ସୁନୀଲ ଶ୍ରୀବାସ୍ତବ ନାମକ ଜଣେ ବିହାରୀ ଯୁବକ ବିବାହ କରିଥିଲେ । ପାରିବାରିକ କଳହକୁ ନେଇ ୨୦୦୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ଏହାର ପ୍ରାୟ ବର୍ଷ ପରେ ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସହ ମହିଳାଙ୍କ ସମ୍ପର୍କ ଗଢି ଉଠିଥିଲା । ପରେ ସମ୍ପର୍କ ନିବିଡ ହେବା ସହ ଅନୁପ ତାଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରୁଥିଲେ । ଏପରିକି ଭୁବନେଶ୍ବର ସୁନ୍ଦରପଦାରେ ଏକ ୩ ମହଲା କୋଠା ନିର୍ମାଣ କରି ସଂପୃକ୍ତ ମହିଳା ଓ ତାଙ୍କ ନାବାଳିକା ଝିଅକୁ ସେଠାରେ ରଖିଥିଲେ । ଏହାସହ ଝିଅର ସ୍କୁଲରେ ନିଜକୁ ଅଭିଭାବକ ଦର୍ଶାଇଥିବା ଏସପି କହିଛନ୍ତି ।
ଅନୁପ ଓ କଳ୍ପନା ଦାସ ୨୦୧୧ ରୁ ୨୦୧୬ ପର୍ଯ୍ୟନ୍ତ ଏକାଠି ରହୁଥିଲେ । ମା’ ଝିଅ ସୁନ୍ଦରପଦାରେ ରହୁଥିବା ବେଳେ ଅନୁପ ସେଠାକୁ ନିୟମିତ ଭାବେ ଯିବା ଆସିବା କରୁଥିଲେ । କିନ୍ତୁ ଏଇଠୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା । କଳ୍ପନା ଆଇନଗତ ଭାବେ ତାଙ୍କୁ ବିବାହ କରିବାକୁ ଚାପ ପକାଇବା ସହ ଜିଦ ଧରିଥିଲେ । ଯାହାକୁ ନେଇ ଅନୁପ ସାଏଙ୍କ ଚିନ୍ତା ବଢିବା ସହ ନିଜ ରାଜନୈତିକ ଜୀବନରେ ଏହା ପ୍ରଭାବ ପକାଇବ ବୋଲି ଆଶଙ୍କା କରୁଥିଲେ । ବିବାହ ନକରିବା ପାଇଁ ଅନୁପ ଯୋଜନାବଦ୍ଧ ଭାବେ କଳ୍ପନାଙ୍କୁ ଛତିଶଗଡର ରାୟଗଡ ନେଇଯାଇଥିଲେ । ବିବାହ ପାଇଁ ଭୁବନେଶ୍ବରରୁ ଏକ ବୋଲେରୋ ଗାଡିରେ ସମସ୍ତେ ଝାରସୁଗୁଡା ଯାଇଥିଲେ । ଝାରସୁଗୁଡାରେ ଏକ ହୋଟେଲରେ ମା’ ଝିଅକୁ ରଖିବା ପରେ ପରଦିନ ଛତିଶଗଡର ରାୟଗଡକୁ ଯାଇଥିଲେ ।