ଝାରସୁଗୁଡା: ପୁଣି ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ଦ୍ବିତୀୟ ତଥା ଜିଲ୍ଲାର ପ୍ରଥମ ବିମାନବନ୍ଦର ବୀର ସୁରେନ୍ଦର ସାଏ ଏୟାରପୋର୍ଟ । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରିଥିଲେ ମଧ୍ୟ ମାତ୍ର କିଛିଟା ଉଡାଣ ପରେ ହଠାତ୍ ବନ୍ଦ ହୋଇଯାଇଥିଲା ଏୟାରପୋର୍ଟ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଦୀର୍ଘ ଦିନର ଅପେକ୍ଷା ପରେ ପୁଣି ଖୋଲିଛି ଭିଏସ୍ଏସ୍ ଏୟାରପୋର୍ଟ ।
ଉଡାଣ 3 ଯୋଜନାରେ ରବିବାର ଏହି ବିମାନବନ୍ଦରରୁ ଆରମ୍ଭ ହୋଇଛି ସ୍ପାଇଶ ଜେଟ୍ର ବିମାନ ସେବା । ଯାହା ସହିତ ସାକାର ହୋଇଛି ସମଗ୍ର ପଶ୍ଚିମ ଓଡିଶାବାସୀଙ୍କ ସ୍ବପ୍ନ । ଦେଶର 3 ପ୍ରମୁଖ ସହର ଯଥା ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାକୁ ସଂଯୋଗ କରି ଏହି ବିମାନ ସେବା ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ 189 ସିଟ୍ ବିଶିଷ୍ଟ ସ୍ପାଇଶ୍ ଜେଟ୍ରେ 136ଜଣ ଯାତ୍ରୀ ନୂଆଦିଲ୍ଲୀରୁ ଝାରସୁଗୁଡା ବିମାନବନ୍ଦରକୁ ଯାତ୍ରା କରିଥିଲେ ।
ଭିଏସ୍ଏସ୍ ଏୟାରପୋର୍ଟରେ ଆରମ୍ଭ ହୋଇଥିବା ଏହି ବିମାନ ସେବା ଝାରସୁଗୁଡ଼ା-ଦିଲ୍ଲୀ-ଝାରସୁଗୁଡ଼ା, ଝାରସୁଗୁଡ଼ା-ହାଇଦ୍ରାବାଦ-ଝାରସୁଗୁଡ଼ା ଏବଂ ଝାରସୁଗୁଡ଼ା-କୋଲକାତା-ଝାରସୁଗୁଡ଼ା ଆଦି ଗନ୍ତବ୍ୟ ସ୍ଥଳକୁ ଯୋଡ଼ିବ । ଏହାଦ୍ବାରା ଝାରସୁଗୁଡାର ଆର୍ଥିକ ଓ ସାମାଜିକ ବିକାଶ ହେବା ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଶିଳ୍ପର ବିକାଶ ଓ ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।