ଝାରସୁଗୁଡ଼ା: ଜୟ ଭୀମ ଘାସି ସମାଜ ପକ୍ଷରୁ ଦିଆଯାଇଥିବା 12 ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରାର ପ୍ରଭାବ ଅନୁଭୂତ ହୋଇଛି । ଘାସି ସମାଜ ଓ ସିଟିଜେନ ଫୋରମ ପକ୍ଷରୁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ 24 ଘଣ୍ଟିଆ ସେବା ପ୍ରଦାନ ଦାବିରେ ବନ୍ଦ ଆହ୍ବାନ ଦିଆଯାଇଥିଲା ।
ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା ବନ୍ଦ ଯୋଗୁଁ ଆଜି ସକାଳୁ ଝାରସୁଗୁଡା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଛି। ଯଦିଓ ଏହି ବନ୍ଦରୁ ଶିକ୍ଷା ଅନୁଷ୍ଠାନ ସହ ଜରୁରୀ ସେବାକୁ ମୁକ୍ତ ରଖାଯାଇଛି ତଥାପି ଅନେକ ସ୍କୁଲ ଆଜି ଛୁଟି ଘୋଷଣା କରିଛନ୍ତି। ଆଜିସକାଳୁ ବନ୍ଦ ସମର୍ଥକମାନେ ସହରର ବସଷ୍ଟାଣ୍ଡ, ଷ୍ଟେସନ ଛକ, ଝଣ୍ଡାଛକ, ସରବାହଲ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା ଘଟଣାରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ଏହି ବୈଠକ ସଚିବାଳୟରେ ଅପରାହ୍ନ 4ଟା 30ରେ ବସିବ । ପୂର୍ବରୁ ଝାରସୁଗୁଡା ବାବଦ ଡାକରାରୁ ଓହରିବାକୁ ଅନୁରୋଧ କରି ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପତ୍ର ଆସିଥିଲେ ମଧ୍ୟ ଆଜି ବନ୍ଦରେ ସାମିଲ ହୋଇଛି ଘାସି ସମାଜ। ଏହି ବନ୍ଦକୁ ଅନେକ ସଂଗଠନ ସମର୍ଥନ କରୁଥିବା ଜଣାପଡିଛି।
ବନ୍ଦ ସମର୍ଥକମାନେ ସହରର ଷ୍ଟେସନକୁ ଛାଡି ବସଷ୍ଟାଣ୍ଡ, ଝଣ୍ଡାଛକ, ସରବାହଲ ସମେତ ବିଭିନ୍ନ ସ୍ଥାନରେ ବନ୍ଦ କରିଥିଲେ । ବିଭିନ୍ନ ସ୍ଥାନରୁ 80ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକ କରିଛନ୍ତି । ଅନ୍ୟପକ୍ଷରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ସହର ର ବିଭିନ୍ନ ଛକ ରେ ବ୍ୟାପଜ ପୋଲିସ ମୁତୟନ କରାଯାଇଛି ।
ଗତ ଶନିବାର ଦିନ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତର ଅବହେଳା ଯୋଗୁଁ ଗୋଟିଏ ନଅ ମାସର ଶିଶୁର ମୃତ୍ୟୁ ପରେ ଘାସି ସମାଜ ଆନ୍ଦୋଳନକୁ ଓହ୍ଲାଇଛି। ପୂର୍ବରୁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମାଲିମୁଣ୍ଡା ସ୍ଥିତ ନୂତନ କୋଠାକୁ ସ୍ଥାନାନ୍ତର କରାଯିବା ପରଠାରୁ ଝାରସୁଗୁଡାରେ ଅସନ୍ତୋଷ ଲାଗି ରହିଥିଲା । ଏଥିପାଇଁ ଆଜିକୁ ଆଠଦିନ ହେଲା ସହରର ସଫେଇ କାର୍ଯ୍ୟରୁ ଦୂରେଇ ରହିଛନ୍ତି ସଫେଇ କର୍ମଚାରୀ। ଗତକାଲି ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୌରାଞ୍ଚଳ କର୍ତ୍ତୃପକ୍ଷ ବାହାରୁ ସଫେଇ କର୍ମଚାରୀ ଡକାଇ ପୋଲିସ ସହାୟତାରେ କାମ କରିବା ସମୟରେ ମୁହାଁ ମୁହିଁ ହୋଇଥିଲା ପ୍ରଶାସନ ଓ ଘାସି ସମାଜ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ