ଯାଜପୁର: ଶୁଦ୍ଧ ପିଇବା ପାଣି ଟୋପାକ ପାଇଁ ଲୋକେ ହେଉଛନ୍ତି ଡହଳ ବିକଳ । ଗାଁର ଲୋକସଂଖ୍ୟା ଦୁଇ ହଜାର ଟପିଲାଣି । ଗାଁର ୭ ଗୋଟି ସାହି ପାଇଁ ଉଦ୍ଦିଷ୍ଟ ଥିବା ୯ଟି ନଳକୂପ ମଧ୍ୟରୁ ଅଧିକାଂଶ ଅଚଳ । ହେଲେ ଏବେ ଗୋଟିଏ ନଳକୂପ ବି ଠିକ୍ ଭାବେ କାମ କରୁନି । ଟୋପାଏ ପାଣିପାଇଁ ଏମାନଙ୍କୁ ନିର୍ଭର କରିବାକୁ ପଡୁଛି ଗାଁ ମୁଣ୍ଡରେ କାର୍ଯ୍ୟକ୍ଷମ ଥିବା ଗୋଟିଏ ମାତ୍ର ନଳକୂପ ଉପରେ । କାଖରେ ଗରା ଓ କାନ୍ଧରେ ଭାର ଧରି ନଳକୂପ ନିକଟରେ ଲମ୍ବା ଧାଡି ଲଗାଉଛନ୍ତି ଗ୍ରାମର ସହସ୍ରାଧିକ ମହିଳା ଓ ପୁରୁଷ । ଆମେ କହୁଛୁ ଯାଜପୁର ଜିଲ୍ଳା କୋରାଇ ବ୍ଲକ ଆଲଡା ଜଳେଶ୍ବରପୁର ଗାଁ ଲୋକଙ୍କ ପାନୀୟ ଜଳ ସମସ୍ୟା କଥା ।
ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକଙ୍କ ପାନୀୟଜଳ ସୁବିଧା ପାଇଁ ବହୁବିଧ ଯୋଜନା କରୁଛନ୍ତି । ହେଲେ ତାହା କେଉଁଠି ଲୋକଙ୍କୁ ଉପଲବ୍ଧ ହେଉଛି ତ ଆଉ କେଉଁଠି ଏହା ଅଚଳ । 5ଟି ନଳକୂପ ଦୀର୍ଘଦିନ ହେବ ଅଚଳ ହୋଇପଡିଛି । ଗାଁ ମୁଣ୍ଡରେ ଥିବା ଗୋଟିଏ ମାତ୍ର ନଳକୂପ ଅଳ୍ପବହୁତେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଏହି ନଳକୂପ ନିକଟରେ ବଡି ସକାଳ ଠାରୁ ହିଁ ଲାଗିଯାଉଛି ଲମ୍ବାଧାଡି । ଏହି ସମସ୍ୟାର ସମାଧାନ ପାଇଁ ପଞ୍ଚାୟତର ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ, ବିଡିଓ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ସବୁଠି ଗୁହାରୀ ଜଣାଇଛନ୍ତି । ହେଲେ ଏଯାଏ ଏହାର କିଛି ବି ଫଳ ମିଳୁନି ।