ଯାଜପୁର: ବୈତରଣୀରେ ଜଳସ୍ତର ବୃଦ୍ଧି ଘଟିବାରୁ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ ଭାବେ ଜିଲ୍ଲାର କୋରାଇ ଓ ଦଶରଥପୁର ସମେତ 3ଟି ବ୍ଲକ ପ୍ରଭାବିତ ହୋଇଛି । ଦଶରଥପୁର ବ୍ଲକର ବ୍ରହ୍ମଚାରୀପାଟଣାଠାରେ ଶାଖା କାଣୀନଦୀରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି । ପ୍ରାୟ 50ରୁ ଉର୍ଦ୍ଧ୍ବ ଗ୍ରାମକୁ ପାଣି ମାଡିଯାଇଥିବା ବେଳେ 15ରୁ ଉର୍ଦ୍ଧ୍ବ ଗ୍ରାମରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି (Water logged in jajpur) । ରାସ୍ତାଘାଟ ବୁଡିଯିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଛି ।
ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇରହିଥିବା ବେଳେ ଅଧିକାଂଶ ଗ୍ରାମରେ ଘରେ ବନ୍ୟାପାଣି ପଶିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତେବେ ଏଭଳି ସମସ୍ୟାରେ ସରକାରୀ ସହୟତାକୁ ଚାହିଁ ବସିଛନ୍ତି ବିପନ୍ନ ଲୋକେ । ବନ୍ୟା ଅଞ୍ଚଳର ଲୋକେ ଭୋକ ଉପାସରେ ଦିନ କାଟୁଥିବା ବେଳେ ଖାଦ୍ୟ ଓ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି । ଲୋକେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ପ୍ରଶାସନ କୌଣସି ପ୍ରକାର ସହଯୋଗ କରିନାହିଁ । ଘାଇ ଭାଙ୍ଗିବା ପରେ ସରପଞ୍ଚ ଆସି ବିସ୍କୁଟ ବାଣ୍ଟି ଯାଇଥିଲେ । ମାତ୍ର ୨୪ ଘଣ୍ଟା ବିତିଲାଣି ଅନ୍ୟ କୌଣସି ସହଯୋଗ ମିଳିନାହିଁ କି ପ୍ରଶାସନ ମଧ୍ୟ ପହଞ୍ଚିନାହାନ୍ତି ।" ତେଣୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।