ଯାଜପୁର: ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ନାରାବାଜି ଚାଲିଥିବା ବେଳେ ଏବେ ଆଉ ଏକ ଅଭିଯୋଗ ଘଟଣାକୁ ଅଧିକ ଜଟିଳ କରିଛି ।
ଭିଏଲଡବ୍ଲ୍ୟୁ ସ୍ମିତାଙ୍କ ମୃତ୍ୟୁ ଘଟଣା ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନ (ସରପଞ୍ଚ ସ୍ବାମୀଙ୍କ ଗେଷ୍ଟ ହାଉସ)କୁ ନେଇ ଉଠିଛି ପ୍ରଶ୍ନ । ଏହି ଗେଷ୍ଟ ହାଉସଟି ଜଙ୍ଗଲ ଜମିରେ ଅବସ୍ଥିତ ଥିବା ଅଭିଯୋଗ କରିଛନ୍ତି ବିରୋଧି । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି ।
ଅନ୍ୟପଟେ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ପାଇଁ ଅଣ୍ଟା ଭିଡିଛନ୍ତି ବିରୋଧି । ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଅଭିଯୁକ୍ତ ରୂପେଶ ଭଦ୍ର ସରକାରୀ ଦଳର ପ୍ରୋତ୍ସାହନରେ ସରକାରୀ ଜଙ୍ଗଲ ଜମିରେ ଗେଷ୍ଟହାଉସ କରି ସେଠାରେ ଏପରି ଅପରାଧ ଘଟାଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ ।
ଏଥିସହ ଗତ 19ତାରିଖର ଏସପିଙ୍କ ବିବୃତ୍ତିକୁ ମଧ୍ୟ କଡା ସମାଲୋଚନା କରିଛନ୍ତି ସେ । ତୁରନ୍ତ ଜଙ୍ଗଲ ଜମିରୁ ଗେଷ୍ଟହାଉସକୁ ଭଙ୍ଗାଯିବା ସହ ଏହାକୁ ସରକାରଙ୍କ ଖାତାକୁ ଫେରସ୍ତ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ଏହି ପ୍ରସଙ୍ଗରେ ସିପିଏମ୍ ନେତା ପ୍ରଫୁଲ୍ଲ ନାୟକ ମଧ୍ୟ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ତେବେ ବିଜେପିର ଜିଲ୍ଲା ବନ୍ଦ ପାଳନ ପରେ ବୁଧବାର ମହିଳା କଂଗ୍ରେସ ଏସପି ଅଫିସ୍ ଘେରାଉ କରିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଗୋଟିଏ ପଟେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ରହସ୍ୟ, ଅନ୍ୟପଟେ ଏକ ଜଙ୍ଗଲ ଜମିରେ ଗେଷ୍ଟହାଉସ କରି ଅପରାଧିକ କାର୍ଯ୍ୟ କରାଯିବା ନେଇ ସାରା ଜିଲ୍ଲାରେ ଲାଗି ରହିଛି ତୁମ୍ବିତୋଫାନ । ସେପଟେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟ ଅଶାନ୍ତ ଝଡ ଲାଗି ରହିଛି ।
ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଭିଏଲଡବ୍ଲ୍ୟୁ କର୍ମଚାରୀ ସଂଘ ପକ୍ଷରୁ ଜାରି ରହିଛି ଆନ୍ଦୋଳନ । ଭିଏଲଡବ୍ଲ୍ୟୁ ଓ ପିଇଓ ମାନେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଚଳାଇଛନ୍ତି ପ୍ରତୀକ ଧାରଣା ଓ ଧର୍ମଘଟ । ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ସହ ମୃତାଙ୍କ ପରିବାରକୁ ତୁରନ୍ତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଏହି ଘଟଣାରେ ପୋଲିସ ନିରବ ରହିଥିବା ବେଳେ ଜଙ୍ଗଲ ଜମି ପ୍ରସଙ୍ଗରେ ଏହାର ତଦନ୍ତ ପାଇଁ ଧର୍ମଶାଳା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ