ଯାଜପୁର: ସାରା ଦେଶରେ କରୋନା ଜନିତ ଲକଡାଉନ୍ ପ୍ରଭାବରେ ଜୀବିକା ହରାଇ ନିଜ ଘରକୁ ଫେରି ଆସୁଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ । ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକକୁ ପରିବାର ପ୍ରତିପୋଷଣର ଚିନ୍ତା ଘାରିଛି । ତେବେ କାମଧନ୍ଦା ହରାଇ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସହଯୋଗର ହାତ ବଢାଇଛନ୍ତି ସ୍ଥାନୀୟ ପ୍ରଶାସନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ବର୍ତ୍ତଣ୍ଡା ପଞ୍ଚାୟତରେ ମନରେଗା ବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଯୋଗାଇ ଦିଆଯାଇଛି କାମ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସଙ୍ଗରୋଧ କେନ୍ଦ୍ରରୁ ଫେରି କାମରେ ନିୟୋଜିତ ହୋଇଥିବା ପ୍ରବାସୀ ଶ୍ରମିକ ।
ହାତରେ କୋଡି, କୋଦାଳ । ଚାଲିଛି ପୋଖରୀ ପୁନରୁଦ୍ଧାର । କିନ୍ତୁ ଏମାନେ କୌଣସି ଦିନ ମଜୁରିଆ ନୁହଁନ୍ତି, ଏମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ । ପେଟର ଭୋକ ଏବଂ ପରିବାରର ଜ୍ବାଳା ପାଇଁ ଶ୍ରମିକ ସାଜିବାକୁ ବାଧ୍ୟ କରିଛି ପରିସ୍ଥିତି । ଆଉ ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ପଂଚାୟତର । ଏହି ଅଞ୍ଚଳର ଅନେକ ଲୋକ ବାହାର ରାଜ୍ୟରେ ରହି କାର୍ଯ୍ୟ କରୁଥିଲେ କିନ୍ତୁ କୋରୋନାର ପ୍ରାଦୁର୍ଭାବ ଏବଂ ଲକଡ଼ାଉନର କଟକଣା ଏମାନଙ୍କୁ ଘରକୁ ଫେରିବାକୁ ବାଧ୍ୟ କରିଥିଲା । ସେପଟେ ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ ପରିବାର ପ୍ରତିପୋଷଣର ଚିନ୍ତା ଘାରିଥିଲେ । ଅଭାବ ଅନଟନ ଭିତରେ ଅନେକ ପରିବାରରେ ଚୁଲି ଜଳିବା ମଧ୍ୟ ବନ୍ଦ ହୋଇଯାଇଥିଲା । ଏଭଳି ସ୍ଥିତିରେ ଏମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ଉଭୟ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ । ବ୍ଲକ ପ୍ରଶାସନ ଦ୍ବାରା ନିଜ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଯୋଗାଇ ଦିଆଯାଇଛି କାମ ।