ଅଧାରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ ଯାଜପୁର: ଦୀର୍ଘ 4 ଘଣ୍ଟା ପରେ ପୁରୀ- ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ସ୍ବାଭାବିକ ହେଲା । ଯାଜପୁର ଦୁଲାଖପାଟଣା ଓଭରବ୍ରିଜ ଉପରେ ଅଟକି ଥିବା ବନ୍ଦେ ଭାରତ ଏକ୍ସପ୍ରେସର ସ୍ୱାଭାବିକ ଚଳାଚଳ ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କାଳବୈଶାଖୀ ପ୍ରଭାବରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରେନଟି ଅଟକି ରହିଥିଲା ।
ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ 4.30 ସମୟରେ ହଠାତ ଅଦିନିଆ ଘୂର୍ଣ୍ଣିଝଡ଼ ହୋଇଥିଲା । ଏହି ସମୟରେ ପୁରୀ- ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଦୁଲାଖାପାଟଣା ଓଭରବ୍ରିଜ ଦେଇ ଆସୁଥିଲା । ହଠାତ ବ୍ରିଜ ନିକଟରେ ଥିବା ଏକ ଗଛରୁ ଡାଳ ଭାଙ୍ଗି ଟ୍ରେନରେ ପଡ଼ିବାରୁ ଲୋକ ପାଇଲଟ ଗ୍ଲାସ ଭାଙ୍ଗି ଯାଇଥିଲା ଏବଂ ଟ୍ରେନ ଆସିବାକୁ ଥିବା ବିଦ୍ୟୁତ ତାର ସମସ୍ୟା ଦେଖିବାକୁ ମିଳିଥିଲା । ଯାହାଫଳରେ ଟ୍ରେନଟି ଅନେକ ସମୟ ଧରି ବ୍ରିଜ ଉପରେ ଅଟକି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ଟେକ୍ନିକାଲ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ । ସନ୍ଧ୍ୟା 7.30 ସୁଦ୍ଧା ଟ୍ରେନଟି ଚଳାଚଳ ଆରମ୍ଭ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଥିଲା । ଏକ ଡିଜେଲ ଇଞ୍ଜିନ ଦ୍ଵାରା ମଞ୍ଜୁରୀ ରୋଡ୍ ପର୍ଯ୍ୟନ୍ତ ଖୁବଶୀଘ୍ର ଟ୍ରେନକୁ ନିଆଯିବାର ବ୍ୟବସ୍ଥା କରାଯାଇଥିଲା ।
ଟ୍ରେନରେ ଫସି ରହିଥିବା ଯାତ୍ରୀଙ୍କ କହିବା ଅନୁଯାୟୀ, " ବିଦ୍ୟୁତ ତାର ଛିଣ୍ଡିବା ଯୋଗୁଁ ଦୀର୍ଘ ସମୟ ଧରି ଟ୍ରେନରେ ଫସି ରହିଛୁ । ଟ୍ରେନରେ ନିଶ୍ବାସ ନେବାରେ ସମସ୍ୟା ଦେଖାଦେଉଛି । ଶୌଚାଳୟ ଯିବାକୁ ମଧ୍ୟ ପାଣି ଠିକ ଭାବରେ ଆସୁନାହିଁ ।" ତେବେ ରେଳ ବିଭାଗ ଟେକ୍ନିକାଲ ଟିମଙ୍କ ଦୀର୍ଘ ସମୟର ପରିଶ୍ରମ ପରେ ଟ୍ରେନଟି ଠିକ ହୋଇ ରେଳ ଚଳାଚଳ ସ୍ୱାଭାବିକ ହେଇଛି । ଟ୍ରେନ ଯାନ୍ତ୍ରିକ ତ୍ରୁଟି ସଜଡ଼ା ହେବାପରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଭଦ୍ରକ ଅଭିମୁଖେ ଯାଇଥିବା ସୂଚନା ମିଳିଛି ।
ପ୍ରକାଶ ଥାଉକି, ଗତ ୧୮ ତାରିଖରେ ରାଜ୍ୟରେ ବନ୍ଦେ ଭାରତର ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଥିଲା । ପୁରୀରୁ ସିଧାସଳଖ ଭାବରେ ହାୱଡ଼ା ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ । ଟ୍ରେନଟି ରାଜ୍ୟର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଗତି କରିବ । ଏହି ଟ୍ରେନ୍ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବା ସହ ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ । ଟ୍ରେନ୍ର ପାଖାପାଖି ୫୦୦ କିମି ଦୂରତା ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବାର ସାମର୍ଥ୍ୟ ରହିଛି ।
ଇଟିଭି ଭାରତ, ଯାଜପୁର