ଯାଜପୁର: ସାରା ଦେଶରେ ବଢି ଚାଲିଥିବା ଭୟଙ୍କର ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂଆ ମଟର ଯାନ ଆଇନ ପ୍ରଣୟନ କରିଛନ୍ତି । ଲୋକଙ୍କୁ ଟ୍ରାଫିକ୍ ସଚେତନ କରିବା ପାଇଁ ଏହି କଡା ନିୟମ ପ୍ରଣୟନ କରାଯାଇଛି ବୋଲି ସରକାର ସଫେଇ ଦେଇଛନ୍ତି । ମୋଟା ଅଙ୍କର ଫାଇନ ସହ ଲୋକଙ୍କୁ ସମୟ ନଦେବା କାରଣରୁ ଆଇନ ପ୍ରଚଳନକୁ ନେଇ ପୋଲିସ-ପବ୍ଲିକ ମୁହାଁମୁହିଁ ମଧ୍ୟ ହୋଇଥିଲେ । ଆଉ ଏହି ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ସରକାର ତିନିମାସ ପାଇଁ ନିୟମକୁ କୋହଳ କରିଛନ୍ତି ।
ହେଲେ ସେହି ଲୋକମାନେ ଏବେ ନିୟମ କୋହଳର ଜୋରଦାର ଫାଇଦା ନେଉଛନ୍ତି । କେଉଁଠି ବିନା ସିଟ ବେଲ୍ଟରେ ଗାଡି ଚାଲିଲାଣି ତ ଆଉ କେଉଁଠି ଗୋଟିଏ ମୋଟର ସାଇକେଲରେ ମନ ଇଛା ତିନିରୁ ଅଧିକ ବସି ଯିବା ଆସିବା କରୁଛନ୍ତି । ଲୋକଙ୍କ ଏହି ଅସାବଧାନତାକୁ ରୋକିବା ପାଇଁ ସରକାର କଡା ଆଇନ ପ୍ରଣୟନ କରିଥିଲେ ସେହି କାମ ଏବେ ରାଜରାସ୍ତାରେ ଚାଲିଛି । ନା ହେଲମେଟ, ନା ସିଟବେଲ୍ଟ । ପୁଣି ବିପଦପୂର୍ଣ୍ଣ ଭାବେ ମୋବାଇଲ ଫୋନରେ କଥା ହୋଇ ବାଇକ ଚଳାଉଛନ୍ତି ।