ଯାଜପୁର: ଲୋକାର୍ପଣ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଉତ୍ସବମୁଖର ପୁରପଲ୍ଲୀ । ସବୁଠି ଉତ୍ସବ ଓ ଉତ୍ସାହର ମାହୋଲ । ଏହି ଅବସରରେ ଯାଜପୁର ଜିଲ୍ଲା କୋରାଇ ବ୍ଲକର ପଚ୍ଛିକୋଟ ଜଗନ୍ନାଥ ମନ୍ଦିର ପରିସରରେ ମଧ୍ୟ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମନ୍ତ୍ର ଓ ବେଦ ପାଠରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଯଜ୍ଞ ଜାରି ରହିଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ସାଧୁସନ୍ଥ ସାମିଲ ହୋଇଛନ୍ତି । ଏଥିସହିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଜନସାଧାରଣ ଉପସ୍ଥିତ ରହିଛନ୍ତି ।
ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି । ସେପଟେ ଆଜି ଯାଜପୁର ଜିଲ୍ଲାର ଧର୍ମଶାଳା, ଯାଜପୁର, ବିଂଝାରପୁର, ବରୀ, ବଡ଼ଚଣା, ସୁକିନ୍ଦା ଓ କୋରେଇ ଆଦି 7ଟି ନିର୍ବାଚନ ମଣ୍ଡଳୀର 10 ବ୍ଲକ ଓ ଦୁଇଟି ପୌର ପରିଷଦରେ ଏହି ଉତ୍ସବକୁ ଧୁମ ଧାମରେ ପାଳନ କରାଯାଉଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ଜିଲ୍ଲାର ପ୍ରତ୍ୟେକ ଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଏହି ଉତ୍ସବରେ ଅନେକ ଲୋକ ସାମିଲ ହେଉଥିବାରୁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ସାଧୁ, ସ୍ବାମୀ ଉଦୟାନନ୍ଦ ପର୍ବତ ମହାରାଜ କହିଛନ୍ତି, "ବିଶ୍ବପ୍ରାଣ ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରାଯାଉଛି । ଏହାର ପ୍ରତିକଳ୍ପ ସ୍ବରୁପ କୋରେଇ ବ୍ଲକ ଅନ୍ତର୍ଗତ ପଚ୍ଛିକୋଟ ଜଗନ୍ନାଥ ମନ୍ଦିରରେ ଆଜି ଏକ ଭବ୍ୟ ଆୟୋଜନ କରାଯାଇଛି । ଯଜ୍ଞ ଚାଲିଛି, ସଂକିର୍ତ୍ତନ ଚାଲିଛି, ସାଧୁ ସନ୍ଥମାନେ ଉପସ୍ଥିତ ହୋଇଛନ୍ତି । ଓଡ଼ିଆଙ୍କ ଘରେ ଘରେ ଆଜି ଜଗନ୍ନାଥ ପହଞ୍ଚିଛନ୍ତି । ଓଡ଼ିଶା ସରକରାରଙ୍କ ଏହି କାର୍ଯ୍ୟକ୍ରମ ଆଜି ବିଶ୍ବରେ ପ୍ରଶଂସା କରାଯାଉଛି । ଏହା ଓଡ଼ିଆଙ୍କ ପାଇଁ ଏକ ଗର୍ବର ବିଷୟ ।"