ଯାଜପୁର: ଝରିଗଲା ଝରାଫୁଲ । ଦେଇଗଲା ଦୁଃଖ ଓ ବିଷାଦ । ସାରା ପରିବାର ଏବେ ସ୍ତବ୍ଧ । କେମିତି ତାଙ୍କର ମୃତ୍ୟୁ ଘଟିଲା ଏବଂ କିଏ ଆଉ କାହିଁକି ତାଙ୍କୁ ହତ୍ୟାକଲା ଏସବୁ କଥା ଏବେ ରହସ୍ୟବୃତ୍ତ ହୋଇରହିଛି । ଆମେ କହୁଛୁ ରମାଦେବୀ କଲେଜର ଯୁକ୍ତ ତିନି 2ୟ ବର୍ଷର ଦର୍ଶନ ବିଭାଗ ଛାତ୍ରୀ ଝରାଫୁଲ ନାୟକଙ୍କ କଥା । ଆଜି ସ୍ପଷ୍ଟ ଦିବାଲୋକରେ କେହି ଦୁଇଜଣ ଦୁର୍ବୃତ୍ତ ଏକ ନାଲି ସ୍କୁଟିରେ ଆସି ମୃତଦେହକୁ ରାଜପଥ କଡରେ ଫିଙ୍ଗିଦେଇ ଫେରାର ହୋଇଗଲେ । ଯାହା ସିସିଟିଭି ଫୁଟେଜରୁ ପ୍ରମାଣ ମିଳିଛି । ପୋଲିସ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ ଟିମ୍ ସହାୟତାର ଘଟଣାର ତନାଘନା ଜାରି ରଖିଛି । ଝରାଫୁଲଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ଜଣାପଡିଛି । ତେବେ ଯାଜପୁରରେ କାହିଁକି ଦୁର୍ବୃତ୍ତ ମୃତଦେହ ଫିଙ୍ଗିବାକୁ ଚିନ୍ତାକଲେ ? କିଏ ସେହି ଦୁର୍ବୃତ୍ତ? କେଉଁ କାରଣରୁ ତାଙ୍କୁ ହତ୍ୟା କରି ରାସ୍ତାକଡରେ ଫିଙ୍ଗିଦେଲେ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।
ବୁଧବାର ଯାଜପୁର ଜିଲ୍ଲା ଦେଇ ଯାଇଥିବା 16ନଂ ଜାତୀୟ ରାଜପଥ କଡରେ ଛାତ୍ରୀଙ୍କ ମୃତଦେହ ଫିଙ୍ଗି ଦେଇ ଚାଲିଯାଇଥିଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆଜି ପୂର୍ବାହ୍ନରେ କୁଆଖିଆ ଥାନା ମୂଳାପାଳ ନିକଟ ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପ୍ରଥମେ ମୃତ ଯୁବତୀଙ୍କ ପରିଚୟ ମିଳିନଥିଲା । ଅନୁସନ୍ଧାନ ପରେ ମିଳିଥିବା ବ୍ୟାଗରୁ ତାଙ୍କର ପରିଚୟ ପ୍ରକାଶ ପାଇଥିଲା । ଯୁବତୀ ଜଣକ ମୟୂରଭଞ୍ଜ ଜିଲ୍ଲା ଜସିପୁର ଥାନା ମରୁଣ୍ଡେଇପଶି ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ ବୋଲି ଜଣାପଡିଛି । ଯୁବତୀ ଜଣକ ଭୁବନେଶ୍ବର ସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟର ଦର୍ଶନ ବିଭାଗରେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ରୀ । ତେବେ ଗତ ୨୪ ଜାନୁଆରୀରେ ସେ ନିଜ ଘରୁ ଭୁବନେଶ୍ବର ଯାଇଥିଲେ । ହେଲେ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ମୂଳାପାଳ ଅଞ୍ଚଳରେ ତାଙ୍କ ମୃତଦେହ ମିଳିଥିଲା । ତେବେ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତଦେହ ଏଠାକୁ ଆସିଲା ସେନେଇ ତଦନ୍ତ କରୁଛି ପୋଲିସ ।