ଯାଜପୁର: କୋରୋନା କାଳରେ ପଜିଟିଭ ଚିହ୍ନଟ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନ କରି ପୋତିଦେବା ଓ ଡାକ୍ତରଖାନା କର୍ତ୍ତୃପକ୍ଷ ମୃଦଦେହ ଫିଙ୍ଗିଦେବା ଭଳି ଅନେକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କୋରୋନା ଯୋଦ୍ଧାଙ୍କୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ମହାନ ପ୍ରୟାସ ଜାରି ରଖିଛି ବ୍ୟାସନଗର ସ୍ବେଚ୍ଛାସେବୀ ସଂଗଠନ 'ମୁନ ଫାଉଣ୍ଡେସନ' । କୌଣସି କୋରୋନା ଯୋଦ୍ଧା ସଂକ୍ରମିତ ଚିହ୍ନଟ ହେଲେ ତାଙ୍କ ଘରକୁ କରୁଛନ୍ତି ସାନିଟାଇଜ ।
କୋରୋନା ଯୋଦ୍ଧାଙ୍କୁ ସଂକ୍ରମଣ ମୁକ୍ତ ରଖିବାକୁ ମୁନ ଫାଉଣ୍ଡେସନର ପ୍ରୟାସ
ବ୍ୟାସନଗର ସ୍ବେଚ୍ଛାସେବୀ ସଂଗଠନ ମୁନ ଫାଉଣ୍ଡେସନର ଅଭିନବ କାର୍ଯ୍ୟକ୍ରମ । କୌଣସି କୋରୋନା ଯୋଦ୍ଧା ସଂକ୍ରମିତ ଚିହ୍ନଟ ହେଲେ ସଂଗଠନର ସଦସ୍ୟମାନେ ଘରକୁ ଯାଇ କରୁଛନ୍ତି ସାନିଟାଇଜ ।
କୋରୋନା ଆରମ୍ଭ ହେବା ଦିନଠୁ କୌଣସି କୋରୋନା ଯୋଦ୍ଧା ଯେପରିକି ଡାକ୍ତର, ପୋଲିସ, ସାମ୍ବାଦିକ ଆଦି ପଜିଟିଭ ଚିହ୍ନଟ ହେଲେ ଏହି ସଂଗଠନର ସଦସ୍ୟ ତାଙ୍କ ଘରେ ପହଁଚି ସାନିଟାଇଜ କରୁଛନ୍ତି । ଏହାସହ ବିଭିନ୍ନ ଡାକ୍ତରଖାନା, ପୋଲିସ ଷ୍ଟେସନ ଏବଂ କୋଭିଡ କେୟାର ସେଣ୍ଟରରୁ ପଜିଟିଭ ଚିହ୍ନଟ ହେଲେ ଏସବୁ ସ୍ଥାନକୁ ମଧ୍ୟ ସାନିଟାଇଜ କରୁଛନ୍ତି ଏହି ସ୍ବେଚ୍ଛାସେବୀ ସଂଗଠନ । ଶୁକ୍ରବାର ବ୍ୟାସନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । ଫାଉଣ୍ଡେସନର ସଦସ୍ୟମାନେ ପିପିଇ କିଟ୍ ପିନ୍ଧି ଏଠାରେ ସଂକ୍ରମିତ ଚିହ୍ନଟ ହୋଇଥିବା 3 ଜଣ ସାମ୍ବାଦିକଙ୍କ ଘରକୁ କରିଛନ୍ତି ସାନିଟାଇଜ । 'ମୁନ ଫାଉଣ୍ଡେସନ'ର ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଉଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ