ଯାଜପୁର: ଚିକିତ୍ସା ଅଭାବରୁ ରୋଗଶଯ୍ୟାରେ ପଡ଼ି ରହିଛି 5 ବର୍ଷର ଶିଶୁ ଜୱାର ବାଦ୍ରା। ଯାଜପୁର ଜିଲ୍ଲାରେ ଦାନଗଦୀ ବ୍ଲକ ଟାଙ୍ଗରସାହି ଗ୍ରାମରୁ ଏଭଳି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଖେଳକୁଦ ବୟସରେ ଶଯ୍ୟାଶାୟୀ ହୋଇ ବଞ୍ଚିବାର ରାହା ଖୋଜୁଛି ଏହି କୋମଳମତି ଶିଶୁ। ବର୍ଷେ ତଳେ ଖେଳୁଖେଳୁ ଗଛରୁ ପଡ଼ି ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ଚିକିତ୍ସା ପାଇଁ ଶିଶୁକୁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ ଜୱାରର ମା' ବିରେନ। ଡାକ୍ତର ଶିଶୁଟିର ଆଶୁ ଚିକିତ୍ସା କରି କଟକ ବଡ଼ ମେଡ଼ିକାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ହେଲେ ଅର୍ଥାଭାବରୁ ଶିଶୁଟିର ଚିକିତ୍ସା କରାଇ ପାରିନଥିଲେ ବିରେନ।
ଚିକିତ୍ସା ନକରାଇ ପାରିବାରୁ ଜୱାର ଗୋଡ଼ରେ ଏକ କପଡ଼ା ଗୁଡ଼ାଇ ଛାଡ଼ି ଦେଇଥିଲେ ବିରେନ। ହେଲେ ଚିକିତ୍ସା ଅଭାବରୁ ଏହି ଗୋଡ ଏବେ ନଷ୍ଟ ହେବାକୁ ବସିଛି। ଗୋଡର ହାଡ ଭାଙ୍ଗି ବାହାରକୁ ବାହାରି ଆସିଥିବା ଯୋଗୁଁ କ୍ଷତ ସ୍ଥାନଟି ନଷ୍ଟ ହେବାକୁ ବସିଛି। ଏବେ ଅସହ୍ୟ ଯନ୍ତ୍ରଣା ଭୋଗୁଛି ଜୱାର। ଯଥା ଶୀଘ୍ର ଶିଶୁଟିର ଚିକିତ୍ସା କରାନଗଲେ ଶିଶୁଟି ଅକ୍ଷମ ହେବାର ଆଶଙ୍କା ରହିଛି। ହେଲେ ଅଭାବ ଅନଟନରେ ଦିନ କାଟୁଥିବା ପରିବା ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ଜୱାରର ମା' ବିରେନ। ପୁଅର ଚିକିତ୍ସା ପାଇଁ ସରକାର ତୁରନ୍ତ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ଜୱାରର ମା' ବିରେନ।