ଯାଜପୁର: କୁମାର ପୂର୍ଣ୍ଣିମା ଆସିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଂଚଳ । ସାତ ଦିନ ପୂର୍ବରୁ ପ୍ରତ୍ୟେକ ନିଜ ନିଜ ଚଉଁରା ମୂଳେ ତିଆରି କରିଥାନ୍ତି କଇଁଫୁଲର କୋଠି । ଆଉ କୁମାର ପୂର୍ଣ୍ଣିମାର ଠିକ ପୂର୍ବରାତ୍ରିରେ କୁମାରୀମାନେ ଗାଁର ଅଗଣାରେ ତିଆରି କରିଥାନ୍ତି ବିରାଟ ବିରାଟ କୋଠି । କୌଣସି ରଙ୍ଗ କିମ୍ବା କାଳିରେ ନୁହେଁ, କେବଳ କଇଁ ଫୁଲରେ ତିଆରି କରିଥାନ୍ତି ଏହି କୋଠି ।
ଯାହାକୁ କେହି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ବର୍ଷ ବର୍ଷ ଧରି ଏହି କୋଠି ପୂଜା ପରମ୍ପରା ଚାଲିଆସୁଛି ଏହି ଗାଁରେ । ଏଭଳି କୋଠି ପୂଜା କଲେ କଇଁ ଫୁଲ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିବା ପ୍ରେମ ଓ ଭଲପାଇବା ଭଳି ବିବାହ ପରେ ପତି ପରମେଶ୍ୱରଙ୍କ ସଂପର୍କ ରହିବ ବୋଲି ବିଶ୍ୱାସ ରହିଛି । ତେବେ ଚଳିତ ବର୍ଷ କରୋନା ପାଇଁ ଏହି ଉତ୍ସବକୁ ନିରାଡମ୍ବର ଭାବେ ଗାଁର କୁମାରୀମାନେ ପାଳିଛନ୍ତି ।