କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ସମ୍ମିଳନୀ ଯାଜପୁର: କୋରେଇ କଂଗ୍ରେସ ପକ୍ଷରୁ ଯାଜପୁର ବ୍ୟାସଦେବ ସଂସ୍କୃତି ଭବନ ପରିସରରେ ଏକ ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ କୋରେଇ ନିର୍ବାଚନ ମଣ୍ଡଳୀରେ ଆଗକୁ କିଭଳି କଂଗ୍ରେସର ସଂଗଠନ ଶକ୍ତିଶାଳୀ ହେବ ତାହା ଆଲୋଚନା କରିଥିଲେ ।
ତେବେ ଏହି ସମ୍ମିଳନୀରେ ମୁଖ୍ୟତଃ କୋରେଇ ପଞ୍ଚାୟତରେ ପିସି କାରବାର, ରାସନ କାର୍ଡ, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ଚାରା ରୋପଣରେ ଦେଖା ଦେଇଥିବା ଦୁର୍ନୀତି ଉପରେ ଆଲୋଚନା କରାଯାଇଛି । ଏହା ସହିତ ଆଗାମୀ ଦିନରେ କିଭଳି କୋରେଇ ଅଂଚଳର ଶିକ୍ଷା,କୃଷି ଓ ଗମନାର ସୁବ୍ୟବସ୍ଥା କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଅତିଥିମାନେ ନୂତନ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ନବ କଂଗ୍ରେସରେ ଥିଲେ ମରିନଥାନ୍ତେ: ଜିତେନ୍ଦ୍ର ସିଂହ
ସେହିପରି ରାଜ୍ୟ ପିସିସି ସଭାପତି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, କେନ୍ଦ୍ର ସରକାର ଦେଶରେ ଦୁଇ କୋଟି ଲୋକଙ୍କୁ ଚାକିରି ଦେବା, ଘରେ ଘରେ 15ଲକ୍ଷ ଟଙ୍କା ଦେବା, ଦରଦାମ୍ ନିୟନ୍ତ୍ରଣ କରିବା ଏବଂ ବୁଲେଟ୍ ଟ୍ରେନ ଚଲାଇବା ଭଳି ମିଥ୍ୟା ପ୍ରତିଶୃତି ଦେଶବାସୀଙ୍କୁ ଦେଇଥିଲେ । ସେହିପରି ବିଜେପି ବଳରେ ବଳିୟାନ ହୋଇ ରାଜ୍ୟରେ ବିଜେଡି ସରକାର ମଧ୍ୟ ଦୁଇ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରୀ ଦେବା ଭଳି ମିଥ୍ୟା ପ୍ରତିଶୃତି ରାଜ୍ୟବାସୀଙ୍କୁ ଦେଇଛନ୍ତି। ତେବେ ବିଜେଡି ସରକାର ସମୟରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଓ ନାରୀ ନିର୍ଯାତନା ଭଳି ଅପରାଧ ବଢ଼ିଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ।
ଅନ୍ୟପକ୍ଷେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ କହିବା ଅନୁସାରେ, କଂଗ୍ରେସ ସବୁବେଳେ ସାଧାରଣ ଲୋକଙ୍କର ସୁଖ ଦୁଃଖରେ ପାଖରେ ଅଛି । ଆଗକୁ ପ୍ରତ୍ୟେକ ଘରେ କଂଗ୍ରେସ ପହଞ୍ଚିବ ଏବଂ ଆଗାମୀ ଦିନରେ କୋରେଇରେ କଂଗ୍ରେସର ସଂଗଠନ ଆହୁରି ମଜଭୁତ ହେବ। ଏହାସହ ଆଗାମୀ ନିର୍ବାଚନରେ 9ରୁ 90 ଥିବା ଆହ୍ବାନ ନିଶ୍ଚିନ୍ତ ଭାବରେ ପୂରଣ ହେବ । ତେବେ ରାଜ୍ୟରେ 24 ବର୍ଷ ଶାସନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ବିଜେଡି ନେତାମାନଙ୍କ ଉପରେ ଭରସା ନାହିଁ କହି ବିଜେଡ଼ିକୁ ଆପେକ୍ଷ କରିଛନ୍ତି ।
ଇଟିଭି ଭାରତ, ଯାଜପୁର