ଓଡିଶା

odisha

ETV Bharat / state

ଯାଜପୁରର 'ସାଇନା': ଇଂରାଜୀ ପୋଏଟ୍ରି ଆଗରେ ଫିକା ପଡେ ବୟସ

ସ୍ଥାନୀୟ ସେଣ୍ଟମେରୀ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ରୀ ସାଇନା । ବୟସ କମ୍‌ ହେଲେ ତାଙ୍କର ଶବ୍ଦ ସଂଯୋଜନା ଅତି ଚମତ୍କାର । ଇଂରାଜୀ ଭାଷାରେ ବେଶ୍‌ ସୁନ୍ଦର ଭାବେ କବିତା ଲେଖିବାରେ ଦକ୍ଷ ସାଇନା ।

By

Published : Sep 22, 2019, 3:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଏକକାଳୀନ ଜଣେ ସ୍ରଷ୍ଟା ଓ ଦ୍ରଷ୍ଟାର ସମାହାର ହେଉଛି କବି । ଜଣେ କବିର ମାନସରେ ସୃଷ୍ଟି ହୁଏ ଭାଷାର ସମ୍ଭାର । ମହାସାଗରର ଲବଣାକ୍ତ ଜଳରେ ବି କବି ନିଜ କବିତା ବଳରେ ଫୁଟାଇପାରେ ଭାଷାର ପଦ୍ମ । ତେବେ ଶବ୍ଦର ଏହି କାରିଗରୀ ଶିଖିବା ପାଇଁ ନଥାଏ କୌଣସି ବୟସର ସୀମା । ଯାହାର ଉଦାହରଣ ପାଲଟିଛନ୍ତି ବ୍ୟାସନଗର ସହରରେ ନହକାବାସୀ ସାଇନା ମହାନ୍ତି ।

ସ୍ଥାନୀୟ ସେଣ୍ଟମେରୀ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ରୀ ସାଇନା । ବୟସ କମ୍‌ ହେଲେ ତାଙ୍କର ଶବ୍ଦ ସଂଯୋଜନା ଅତି ଚମତ୍କାର । ଇଂରାଜୀ ଭାଷାରେ ବେଶ୍‌ ସୁନ୍ଦର ଭାବେ କବିତା ଲେଖିବାରେ ଦକ୍ଷ ସାଇନା । ଏପର୍ଯ୍ୟନ୍ତ ପ୍ରାୟ 30 ରୁ ଉର୍ଦ୍ଧ୍ବ କବିତା ଲେଖି ସାରିଲେଣି ସାଇନା । କେବଳ କବିତା ନୁହେଁ, ଚିତ୍ରାଙ୍କନ, ପାଠପଢା ଓ ନୃତ୍ୟ ପ୍ରତି ମଧ୍ୟ ତାଙ୍କର ରହିଛି ଦୁର୍ବଳତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଅତି ସୁନ୍ଦର କବିତା ଲେଖିବା ସାଙ୍ଗକୁ ସେସବୁକୁ ବେଶ୍‌ ସୁନ୍ଦର ଶୈଳୀରେ ଆବୃତ୍ତି କରିପାରନ୍ତି ସାଇନା। ତେବେ ତାଙ୍କର ଏହି ପ୍ରତିଭାକୁ ନେଇ ପରିବାର ଲୋକେ ଗର୍ବିତ । ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପିଲାଟି ଦିନରୁ ତାଙ୍କଠାରେ ବିକାଶ ହେଉଥିବା ଏହି ପ୍ରତିଭାକୁ ଯୋଗାଉଛନ୍ତି ପ୍ରକୃଷ୍ଟ ମାଧ୍ୟମ । ସହପାଠୀମାନେ ବି ସାଇନାଙ୍କର ଏହି ପ୍ରତିଭାର କରନ୍ତି ଢେର ପ୍ରଶଂସା ।

ଅନ୍ତର୍ଜାତୀୟ କବିମାନଙ୍କ ପ୍ରକୃତି ଓ ସମୟ ଉପରେ ଲେଖା କବିତାକୁ ନେଇ ପ୍ରଭାବିତ ହୋଇଥିଲେ ସାଇନା । ସେହି ଦିନରୁ ଆରମ୍ଭ କରିଥିଲେ କବିତା ଲେଖା । ପରେ ପରେ ସ୍କୁଲରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସହ ଆରମ୍ଭ ହୋଇଥିଲା କବିତା ସହ ତାଙ୍କର ଯାତ୍ରା । ତାଙ୍କ କବିତା ବିଭିନ୍ନ ପତ୍ରପତ୍ରିକା, ସମ୍ବାଦପତ୍ର ଓ ସ୍ମରଣିକା ଆଦିରେ ପ୍ରକାଶିତ ।

ସାଇନାଙ୍କ ଏହି ପ୍ରତିଭା ସମୟ ସହ ଅଧିକ ବିକଶିତ ହେଉ ଓ ସେ ବିଶ୍ବ ଦରବାରରେ ରାଜ୍ୟର ନାମ ରଖନ୍ତୁ ଏହା ହିଁ ଆଶା ଓ କାମନା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details