ଯାଜପୁର: ନିରବିଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇବେ ଯାଜପୁର ବାସିନ୍ଦା । ଏଥିପାଇଁ ଯାଜପୁର ରୋଡ୍ ଡିଭିଜନ୍ ପକ୍ଷରୁ ଲାଇଟ ହାଉସ ଅଭିଯାନ ଆରମ୍ଭ ହୋଇଛି । ଦୀର୍ଘଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ସମସ୍ୟା ଦେଖାଦେଉଥିଲା । ଏହାକୁ ନେଇ ଉପଭୋକ୍ତାମାନେ ବାରମ୍ବାର ଅଭିଯୋଗ ମଧ୍ୟ କରି ଆସୁଥିଲେ । ଏଭଳି ଅଭଯୋଗ ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ଲାଇଟ ହାଉସ୍ ଅଭିଯାନ ।
ଏହି ଅଭିଯାନରେ ବିଭିନ୍ନ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ରାସ୍ତା କଡ଼ରେ ତାର ଉପର ଦେଇ ଯାଇଥିବା ଗଛ ଡାଳ ସବୁ କାଟି ସଫା କରାଯାଉଛି । ତାର ଝୁଲିଥିବା ସ୍ଥାନରେ ମରାମତି କାମ ଚାଲିଛି । କେତେକ ସ୍ଥାନରେ ତାର ବଦଳାଯାଇ କେବୁଲ ଲଗାଯାଉଛି । ଖୋଲାମେଲାରେ ପଡି ରହିଥିବା ଟ୍ରାନ୍ସଫର୍ମର ପାଇଁ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଉଛି । ଯାଜପୁର ରୋଡ୍ ଡିଭିଜନ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ SDO, ସହାୟକ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ଏହି କାର୍ଯ୍ୟର ତଦାରଖ କରୁଛନ୍ତି ।
ନଭେମ୍ବର ୧୬ ତାରିଖରୁ ଏହି ଅଭିଯାନ ଆରମ୍ଭ କରିଛି ଯାଜପୁର ରୋଡ ଡିଭିଜନ । ଏହି ଅଭିଯାନରେ ୬୪ ଜଣ କୁଶଳୀ ଓ ଅଣକୁଶଳୀ ଯୁବକ ନିୟୋଜିତ ରହିଛନ୍ତି । ସୁରୁଖୁରୁର କାର୍ଯ୍ୟ ସମ୍ପାଦନ ପାଇଁ ୧୬ଟି ଗାଡି଼ ନିୟୋଜିତ ରହିଛନ୍ତି । ତେବେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ଯାଜପୁର ରୋଡ ଡିଭିଜନ ବିଫଳ ହେବ ବୋଲି ଅଭିଯୋଗ କରିଛନ୍ତି ଉପଭୋକ୍ତା । ବିଲ୍ ଉଚିତ ସମୟରେ ପୈଠ ହେଉଥିଲେ ସୁଦ୍ଧା ନିୟମିତ ସେବା ମିଳୁନଥିବା ଦର୍ଶାଇଛନ୍ତି ବିଦ୍ୟୁତ୍ ଉପଭୋକ୍ତା ।