ଓଡିଶା

odisha

ETV Bharat / state

ଯାଜପୁର କାଳୀପୂଜା: ବିନା ଶ୍ରଦ୍ଧାଳୁରେ ଚାଲିଛି ପୂଜା, ଶୂନଶାନ ମଣ୍ଡପ

ଯାଜପୁର ଏବଂ ବ୍ୟାସନଗର ସହରରେ କାଳୀପୂଜାକୁ ବେଶ ଧୂମଧାମରେ ପାଳନ କରାଯାଏ । ଚଳିତବର୍ଷ କୋଭିଡ୍ ଯୋଗୁଁ ଉଭୟ ସହରରେ ମଣ୍ଡପ ଗୁଡିକ ହୋଇଛି ଶୂନଶାନ୍ । କୋରୋନା କଟକଣା ଯୋଗୁଁ ବିନା ଭକ୍ତ, ବିନା ବାରୁଆଳି, ବିନା ସାଜସଜ୍ଜାରେ ନିରାଡମ୍ବରରେ ପାଳିତ ହେଉଛି ଏଥରର ମା ଶ୍ୟାମାକାଳୀଙ୍କ ପୂଜା । ଅଧିକ ପଢନ୍ତୁ...

jajpur famous kalipuja
ଯାଜପୁର କାଳୀପୂଜା: ବିନା ଭକ୍ତ ବିନା ସାଜସଜ୍ଜାରେ ଚାଲିଛି ପୂଜା, ମଣ୍ଡପ ଶୂନଶାନ

By

Published : Nov 17, 2020, 6:39 PM IST

ଯାଜପୁର: ପ୍ରତିବର୍ଷ ଯାଜପୁର ଏବଂ ବ୍ୟାସନଗର ସହରରେ କାଳୀପୂଜାକୁ ଏକ ବିରାଟ ଗଣପର୍ବ ଭାବରେ ପାଳନ କରାଯାଇଥାଏ । ଚଳିତବର୍ଷ କୋଭିଡ୍ ଯୋଗୁଁ ଉଭୟ ସହରରେ ମଣ୍ଡପ ଗୁଡିକ ହୋଇଛି ଶୂନଶାନ୍ । କୋରୋନା କଟକଣା ଯୋଗୁଁ ବିନା ଭକ୍ତ, ବିନା ବାରୁଆଳି, ବିନା ସାଜସଜ୍ଜାରେ ନିରାଡମ୍ବରରେ ପାଳିତ ହେଉଛି ଏଥରର ମା ଶ୍ୟାମାକାଳୀଙ୍କ ପୂଜା । ଯାହା କି ସାଧାରଣ ଭକ୍ତଙ୍କ ଠାରୁ ଆରମ୍ଭ କରି ପୂଜା କମିଟିର କର୍ମକର୍ତ୍ତା ଓ ପୂଜକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଭରିଦେଇଛି ନୈରାଶ୍ୟତା । ସେପଟେ କୋଭିଡ୍ କଟକଣା ମଧ୍ୟରେ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପୋଲିସ୍ ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି ।

ଯାଜପୁର କାଳୀପୂଜା: ବିନା ଭକ୍ତ ବିନା ସାଜସଜ୍ଜାରେ ଚାଲିଛି ପୂଜା, ମଣ୍ଡପ ଶୂନଶାନ

କୋରୋନା ପାଇଁ ସମସ୍ତ ପୂଜାରେ ଲାଗୁ ହେଉଛି କଟକଣା । ଦୁର୍ଗାପୂଜା ଭଳି କାଳୀ ପୂଜା ମଧ୍ୟ ବିନା ଭକ୍ତରେ ପାଳିତ ହେଉଛି । ପ୍ରତିବର୍ଷ କାଳୀପୂଜା ଆସିଲେ ଯାଜପୁର ଏବଂ ବ୍ୟାସନଗର ସହର ଚଳଚଞ୍ଚଳ ହୋଇଉଠେ । କାଳୀପୂଜାକୁ ଏହି ଦୁଇ ସହର ବାସୀ ଗଣପର୍ବ ଭାବେ ପାଳନ କରିଥାନ୍ତି । ଦୁଃଖ ଆଉ ବିଡମ୍ବନାର ବିଷୟ ଏହି କି ଏଥରର କାଳୀପୂଜା ଗଣପର୍ବ ପରିବର୍ତ୍ତେ ଗଣ ବିହୀନ ପର୍ବରେ ପରିଣତ ହୋଇଛି । ପୂଜାମଣ୍ଡପ ଗୁଡିକ ଲାଗୁଛି ଶୂନଶାନ୍ ଓ ଖାଁ ଖାଁ । କୋରୋନା ଯୋଗୁଁ ହିଁ ଏଭଳି ବ୍ୟତିକ୍ରମ ଦେଖାଦେଇଥିବା ସମସ୍ତେ ଅନୁଭବ କରୁଛନ୍ତି । ମାତ୍ର କଟକଣା ଯୋଗୁଁ ପୂଜା ସମ୍ପୂର୍ଣ୍ଣ ଫିକା ପଡିଛି । କୌଣସି ବି ମଣ୍ଡପରେ ବଡ ବଡ ମୂର୍ତ୍ତି ତିଆରି ହୋଇନି କିମ୍ବା ମଣ୍ଡପ ଆଗରେ ସୁଉଚ୍ଚ ତୋରଣ ବା ସାଜସଜ୍ଜା ମଧ୍ୟ ହୋଇନାହିଁ । ପ୍ରଶାସନର ଘୋଷଣା ଅନୁଯାୟୀ ବିନା ବାରୁଆଳି, ବିନା ସାଜସଜ୍ଜା ଓ ବିନା ଭକ୍ତରେ ନିରାଡମ୍ବର ଭାବେ ପାଳିତ ହେଉଛି ଏଥରର ମା ଶ୍ୟାମାକାଳୀଙ୍କ ପୂଜା । ସମ୍ପୂର୍ଣ୍ଣ କୋରୋନା କଟକଣାକୁ ମାନି ପୂଜା କରୁଛନ୍ତି କମିଟି ସଦସ୍ୟ ଓ କର୍ମକର୍ତ୍ତା ମାନେ ।

ମଣ୍ଡପ ଗୁଡିକରେ ସ୍ଥାନ ପାଇଛନ୍ତି ମା ଶ୍ୟାମାକାଳୀଙ୍କ ମାତ୍ର 4ଫୁଟ ଉଚ୍ଚତାର ମୂର୍ତ୍ତି । କାରଣ ମୂର୍ତ୍ତିର ଉଚ୍ଚତାକୁ ନେଇ ଜାରି ହୋଇଥିଲା କଟକଣା । ତେବେ ମଣ୍ଡପରେ ସିନା ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଲେ, ହେଲେ ମାଙ୍କ ଦର୍ଶନ ପାଇଁ ସାଧାରଣ ଭକ୍ତଙ୍କୁ ସୁଯୋଗ ନାହିଁ । ଯାଜପୁର ସହରରେ କେବଳ କାଳୀଙ୍କ ମୂର୍ତ୍ତି ନୁହେଁ ପୂର୍ବ ବର୍ଷ ମାନଙ୍କ ପରି ଅନେକ ସ୍ଥାନରେ ଲକ୍ଷ୍ମୀନାରାୟଣ ଓ ହରପାର୍ବତୀଙ୍କ ମେଢ ପୂଜା ପାଉଛନ୍ତି । ଏଠାରେ ପ୍ରାୟ 50ରୁ ଉର୍ଦ୍ଧ ମେଢ ସ୍ଥାନ ପାଇଥିବା ବେଳେ ବ୍ୟାସନଗର ସହରରେ 13ଟି ମଣ୍ଡପରେ ପାଳିତ ହେଉଛି ମା ଶ୍ୟାମାକାଳୀଙ୍କର ପୂଜା । ମାତ୍ର ସବୁଠି ବିନା ଭକ୍ତ ଓ ବିନା ସମାଗମରେ ପାଳିତ ହେଉଛି ଏଥରର ପୂଜା ।

କୋଭିଡ୍ କଟକଣା ମଧ୍ୟରେ ଏହି ଦୁଇ ସହରରେ ଶାନ୍ତିଶୃଙ୍ଖଳାରେ ପୂଜା ସମାପନ କରିବାକୁ ପୋଲିସ୍ ଏବଂ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଯାଏ ସମସ୍ତ ବ୍ୟବସ୍ଥାର ତଦାରଖ କରୁଛନ୍ତି ପୋଲିସ୍ ପ୍ରଶାସନର ଅଧିକାରୀ ମାନେ । 14ତାରିଖ ମଧ୍ୟରାତ୍ରୀରୁ ଆରମ୍ଭ ହୋଇଛି ଚଳିତ ବର୍ଷର କାଳୀପୂଜା । ବିନା ଭକ୍ତ ଏବଂ ବିନା ଆଡମ୍ବରରେ ପାଳିତ ହେଉଛି ପୂଜା । ଆସନ୍ତା 18ତାରିଖରେ ମାଙ୍କ ମେଢକୁ ବିସର୍ଜନ କରାଯାଇ ଶେଷ ହେବ ଏଥରର କାଳୀପୂଜା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details