ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ବ୍ୟାସ ସରୋବର ଜଗନ୍ନାଥ ଆଦିବାସୀ ସାହିରେ ବାସ କରନ୍ତି ଅସହାୟ ବୃଦ୍ଧ ଦମ୍ପତି । ଏଣେ ତେଣେ ଭିକ୍ଷାବୃତ୍ତି କରି ପେଟ ପୋଷନ୍ତି ଦୁହେଁ । ଏବେ ଏମାନେ ବ୍ୟାଧିଗ୍ରସ୍ତ ହୋଇ ଭଲରେ ଚଲାବୁଲା କରିପାରୁ ନାହିଁନ୍ତି । ପ୍ରାୟ 30 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଦୁହେଁ ଏଠାରେ ଏକ କୁଡିଆ ଘରେ ବସବାସ କରିଆସୁଥିଲେ । 2 ମାସ ତଳେ ବୃଦ୍ଧଙ୍କ ବଡପୁଅ ଆରପାରିକୁ ଚାଲିଗଲା । ଠିକ୍ ତା ପରେ ପରେ ଏହି ଦମ୍ପତି କିଛି ମାଫିଆଙ୍କ ଧମକର ଶିକାର ହୋଇଥିଲେ । ଦମ୍ପତି ଭିକ୍ଷାବୃତ୍ତି ପାଇଁ ଯାଇଥିବା ବେଳେ ମାଫିଆମାନେ ତାଙ୍କ ଘର ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ ।
ଭଙ୍ଗା ଘରେ ସ୍ବପ୍ନ ସାଉଣ୍ଟିବାରେ ବ୍ୟସ୍ତ ଅସହାୟ ବୃଦ୍ଧ ଦମ୍ପତ୍ତି ବୁଢାବୁଢି ଦୁହେଁ ଏନେଇ ଥାନା ଏବଂ ତହସିଲଦାରଙ୍କ ଆଶ୍ରିତ ହୋଇଥିଲେ ମଧ୍ୟ ଏଯାଏଁ ନ୍ୟାୟ ପାଇ ପାରିଲେ ନାହିଁ । ଏବେ ବସ୍ତି ଲୋକଙ୍କ ସାହାଯ୍ୟ କ୍ରମେ ଏକ କମ୍ୟୁନିଟି ଘର ବାରଣ୍ଡାରେ ପଡି ରହିଛନ୍ତି । ସେମାନଙ୍କୁ ଥଇଥାନ କରାଯିବା ସହ ନ୍ୟାୟ ପ୍ରଦାନ କରିବା ପାଇଁ ବସ୍ତିବାସିନ୍ଦାମାନେ ଆପତ୍ତି ଜଣାଇଛନ୍ତି ।
ଏହି ଭଙ୍ଗା କୁଡିଆ ଘରେ ବର୍ଷ ବର୍ଷ ଧରି ବସବାସ କରିଆସୁଥିଲେ ଏହି ଅସହାୟ ବୃଦ୍ଧ ଦମ୍ପତ୍ତି । ଯାହାକୁ ନିଜ ଅକ୍ତିଆରକୁ ନେବା ପାଇଁ ଦୁହେଁ ଭିକ୍ଷାବୃତ୍ତି କରିବାକୁ ଯାଇଥିବା ବେଳେ ମାଫିଆମାନେ ଭାଙ୍ଗି ରୁଜି ମାଟିରେ ମିଶାଇ ଦେଇଛନ୍ତି । ଏବେ ସେହି ଭଙ୍ଗା କୁଡିଆ ତଳୁ ବୃଦ୍ଧ ଆଉ ବୃଦ୍ଧା ସାଉଣ୍ଟୁଛନ୍ତି କିଛି ଭଙ୍ଗା ବାସନ, ସାଜ ସରଞ୍ଜାମ, କପଡା, ଲୁଗାପଟା ଓ କିଛି ଭଙ୍ଗା ଇଟା । ଏହି ଦମ୍ପତ୍ତି କୌଣସି ସରକାରୀ ସୁବିଧା ନପାଇ ବହୁ କଷ୍ଟ ସ୍ବୀକାର କରି ଏଣୁ ତେଣୁ ମାଗି ଯାଚି ଗଢିଥିଲେ ଏହି କୁଡିଆ ବା ବସା ଘର ।
ଏବେ ଏମାନଙ୍କର କୌଣସି ସନ୍ତାନ ସନ୍ତତି ନଥିବା ବେଳେ ଆହା ବୋଲି କହିବାକୁ ବୁଢା ବୁଢୀଙ୍କ ପାଖରେ ମଧ୍ୟ କେହି ନାହାନ୍ତି । ନିକଟରେ ହୋଇଥିବା ଡ୍ରୋନ ସର୍ଭେରେ ସେମାନଙ୍କ ନାମ ଭୂମିହୀନ ତାଲିକାଭୁକ୍ତ ହୋଇଥିଲେ ବି ଏଯାଏଁ ସେମାନଙ୍କୁ କୌଣସି ପ୍ରକାର ଥଇଥାନର ବନ୍ଦବୋସ୍ତ କରାଯାଇ ପାରିନାହିଁ । ଦୁଃଖ ଆଉ ପରିତାପର କଥା ହେଲା ଏଭଳି ଅସହାୟ ଭୂମିହୀନ ବୃଦ୍ଧବୃଦ୍ଧାଙ୍କୁ ମାଫିଆଙ୍କ କବଳରୁ ବି ତ୍ରାହି ମିଳିଲାନି । ନ୍ୟାୟ ପାଇଁ ଥାନାଠାରୁ ତହସିଲ ପର୍ଯ୍ୟନ୍ତ ଦଉଡି ଦଉଡି ନୟାନ୍ତ ହୋଇଥିଲେ ବି ନ୍ୟାୟ ମିଳିବା କାଠିକର ହୋଇପଡିଛି ।
ମାଫିଆ ଘର ଭାଙ୍ଗିଦେଲେ ବି ପୋଲିସ ଏଯାଏଁ ସେମାନଙ୍କୁ ଗିରଫ କଲାନି । ପ୍ରଶାସନ ମଧ୍ୟ ଏହି ଅସହାୟ ଦମ୍ପତ୍ତିଙ୍କ ଥଇଥାନ କଥା ଚିନ୍ତା କଲାନି । ଏବେ ପରିଣତ ବୟସରେ ଏହି ବୃଦ୍ଧ ଦମ୍ପତ୍ତି କ୍ଲବ ଘର ବାରଣ୍ଡାରେ ଅତି ଦୟନୀୟ ଭାବରେ ପଡି ରହି ଦୁର୍ବିସହ ଜୀବନ ବିତାଉଛନ୍ତି । ଦୁହେଁ ରୋଗାଗ୍ରସ୍ତ ହୋଇପଡିଥିବା ବେଳେ ଚିକିତ୍ସା ପାଇଁ ପାଖରେ ବି ପଇସା ନାହିଁ । ଭିକ୍ଷାବୃତ୍ତି କରିବା ମଧ୍ୟ ଏମାନଙ୍କ ପକ୍ଷେ ଆଉ ସମ୍ଭବପର ହେଉନାହିଁ । କେବେ କେବେ ସାହି ବସ୍ତିର ଲୋକେ, ଯିଏ ଯାହା ଖାଇବାକୁ ଗଣ୍ଡେ ଦେଉଛନ୍ତି ସେଥିରେ ହିଁ ସେମାନେ ବଞ୍ଚୁଛନ୍ତି ।
ହେଲେ ତାହା ସେମାନଙ୍କ ଖାଦ୍ୟପେୟ ଓ ଥଇଥାନ ପାଇଁ ଯଥେଷ୍ଟ ନୁହେଁ । ଏଣୁ ସେମାନଙ୍କୁ ଉପଯୁକ୍ତ ଥଇଥାନର ବ୍ୟବସ୍ଥା କରିବା ସହ ସରକାରୀ ଯୋଜନାର ସୁଫଳ ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି । ଏଥିସହ ସମ୍ପୃକ୍ତ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି । ସେପଟେ ଏନେଇ ସ୍ଥାନୀୟ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆମେ ସାକ୍ଷାତ କରିଥିଲୁ । ସେ କହିଲେ ସରକାରୀ ସର୍ଭେ ଏବଂ ରିପୋର୍ଟକୁ ଆଧାର କରି ଦମ୍ପତିଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ