ଓଡିଶା

odisha

ETV Bharat / state

ଖସୁନି ପାରଦ, ଜଳୁଛି ଯାଜପୁର

ଝଞ୍ଜା ପରେ ଏବେ ଝାଞ୍ଜି ମାଡ଼ରେ କଲବଲ ରାଜ୍ୟବାସୀ । ଦିନ 11ଟା ନ ହେଉଣୁ ରାସ୍ତାଘାଟ ଶୁନଶାନ ହେଇଯାଉଛି । ଏଥିରୁ ବାଦ ପଡ଼ିନି ଯାଜପୁର ଜିଲ୍ଲା । ପ୍ରତିଦିନ ପାରଦ ପାଖାପାଖି 40ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଆଗକୁ ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

By

Published : May 20, 2019, 6:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଦାଉ ସାଜିଛି ପ୍ରକୃତି । ଫନି ପରେ ସତେଯେମିତି କୋପ କରିଛନ୍ତି ରୌଦ ଦେବ । ଅସମ୍ଭାଳ ତାତି ସାଙ୍ଗକୁ ଗୁଳିଗୁଳିରେ ଛପପଟ ହେଉଛନ୍ତି ଯାଜପୁରବାସୀ । ପ୍ରତିଦିନ ତାପମାତ୍ରା 40 ଡିଗ୍ରୀ ରହୁଥିବାବେଳେ ଦିନ 10ଟା ପରେ କେହି ବାହାରକୁ ପାଦ କାଢି ହେଉନାହିଁ । ମଧ୍ୟାହ୍ନ ସମୟରେ ଶୂନଶାନ ହୋଇଯାଉଛି ରାସ୍ତା ଘାଟ । ତେବେ ଏଭଳି ଅସହ୍ୟ ଗରମ ହେଉଥିବାବେଳେ ଜନଗହଳି ସ୍ଥାନରେ ନାହିଁ ଜଳଛତ୍ର । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସପ୍ତାହେ ଧରି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାବେଳେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅସହ୍ୟ ଗରମରୁ ରକ୍ଷା ପାଇବା ପରେ ଲୋକେ ପଇଡ଼ ଦୋକାନ ଓ ଆଖୁରସ ଦୋକାନରେ ଭିଡ ଜମାଉଛନ୍ତି । କିନ୍ତୁ ଜନାକୀର୍ଣ୍ଣ ସ୍ଥାନରେ ତଥା ବସ ଷ୍ଟପ ଓ ସରକାର ଭାବେ ଜଳଛତ୍ର କିମ୍ବା ଯାତ୍ରୀ ବିଶ୍ରାମାଗାର ବନ୍ଦୋବସ୍ତ ନାହିଁ । ସେପଟେ, ସକାଳୁଆ ଅଫିସ ହୋଇନଥିବାରୁ ଲୋକେ ପ୍ରବଳ ଖରାରେ ଅଫିସ କାମ କରିବାକୁ ବାଧ୍ୟ ହେଉଛନ୍ତି ।

ସେହିପରି, ସହରର ରେଳଷ୍ଟେସନର ଅବସ୍ଥା ମଧ୍ୟ ନ କହିଲେ ଭଲ । କେବଳ ସ୍ଥାନୀୟ ବାସିନ୍ଦା ନୁହଁନ୍ତି, ଦୂରଦୁରାନ୍ତରୁ ଆସୁଥିବା ରେଳଯାତ୍ରୀ ଅସହ୍ୟ ଗରମରେ ଯନ୍ତ୍ରଣା ଭୋଗୁଛନ୍ତି । ତେବେ ଜିଲ୍ଲାରେ ଆଗକୁ ମଧ୍ୟ ଏପରି ପାଣିପାଗ ରହିବାର ଆଶଙ୍କା ରହୁଥିବାରୁ ପ୍ରଶାସନ ପକ୍ଷରୁ ଦିନ 12ରୁ 3 ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ସମ୍ଭାବ୍ୟ ଅଂଶୁଘାତ ଘଟଣାକୁ ରୋକିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ୱାର୍ଡ ଖୋଲାଯାଇଛି । ଶିଳ୍ପାଞ୍ଚଳ ସହିତ ବାହାରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ଖରାତରାରେ କାମ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details