ଯାଜପୁର:ବିଧାୟକ କହିଲେ ଆପଣମାନଙ୍କ ମନକୁ ଆସୁଥିବ କୋଠା ବାଡି, ଗାଡି ଆଦି ଅମାପ ସମ୍ପତ୍ତି ଥିବ । ଆଜିର ସମୟରେ ଯେଉଁ ବ୍ୟକ୍ତି ଥରେ ବିଧାୟକ ହୋଇଯାନ୍ତି ସାତ ପୁରୁଷ ପାଇଁ ଧନ ସଞ୍ଚୟ କରୁଛନ୍ତି । ମାତ୍ର ଆଜି ଆମେ ଏମିତି ଜଣେ ବିଧାୟକଙ୍କ କଥା କହୁଛୁ ଯାହାଙ୍କ ପରିବାର ପାଖରେ ନାଁ ଅଛି ଘର, ଗାଡି ଓ ବସ୍ତ୍ର l କେବଳ ବଞ୍ଚିବା ପାଇଁ ଆଜିର ଯୁଗରେ ସଂଘର୍ଷ କରୁଛନ୍ତି ଏହି ପରିବାର l ଯାଜପୁର ଜିଲ୍ଲା ସୁକିନ୍ଦାର ପୂର୍ବତନ ବିଧାୟକ ସ୍ୱର୍ଗତ ବାଇଧର ସିଂ ପରିବାର ଅଟୋରେ ଅଣ୍ଡା ବିକି ଚଳୁଛନ୍ତି।
ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ଜରି ପାଲ ଟଣା ଭଙ୍ଗା ଦଦରା ମାଟି ଘରେ ବିତୁଛି ବାଇଧରଙ୍କ ପୁଅ, ବୋହୂ ଓ ନାତୁଣୀଙ୍କ ଜୀବନ । ଚାଳ ବାଟେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ତାରା ଦେଖା ଯାଉଛନ୍ତି। ବର୍ଷାଦିନ କଥା ନ କହିବା ଭଲ। ବର୍ଷା ଝଡି ଯୋଗୁଁ ମାଟିକାନ୍ଥ ଭାଙ୍ଗିବାକୁ ବସିଲାଣି । କାନ୍ଥର ବିଭିନ୍ନ ଜାଗାରେ ଗାତ ମଧ୍ୟ ଦେଖାଯାଉଛି । ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଏହି ଘରେ ଚଳୁଛନ୍ତି ଏହି ପରିବାର । ରାସନ କାର୍ଡ, ଭତ୍ତା, ସ୍ୱାସ୍ଥ୍ୟକାର୍ଡ , ଗ୍ୟାସ ଆଦି ସରକାରୀ ଯୋଜନାରୁ ବଞ୍ଚିତ ଏହି ପରିବାର ।
ସୁକିନ୍ଦାର ପୂର୍ବତନ ବିଧାୟକ ବାଇଧର ସିଂଙ୍କ ଘର ଦାନଗଦୀ ବ୍ଲକ ରାମ୍ପିଲୋ ଗ୍ରାମରେ । ସେ ୧୯୬୧ ରୁ ୧୯୬୭ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳରୁ ବିଧାୟକ ଥିଲେ । ସେତେବେଳେ ସୁକିନ୍ଦା ବିଧାନସଭା ଆସନ ତପଂସିଲ ଭୁକ୍ତ ଜାତି ମାନଙ୍କ ପାଇଁ ସଂରକ୍ଷିତ ରହିଥିଲା । ଶିକ୍ଷାଗତ ଯୋଗ୍ୟତା କମ ଥାଇ ମଧ୍ୟ ଅନେକ ସାମାଜିକ ସଂଗଠନ ସହିତ ଜଡିତ ରହିବା ସହିତ ସମାଜସେବା କରି ବିଧାୟକ ହୋଇ ପାରିଥିଲେ ।
ସେ 7ବର୍ଷ ଧରି ୩ ଜଣ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ବିରେନ ମିତ୍ର ଓ ସଦାଶିବ ତ୍ରିପାଠୀଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ବତନ ବିଧାୟକ ବାଇଧର ସିଂ କାର୍ଯ୍ୟ କରିଥିଲେ l ସେ ୨୦୧୦ ମସିହାରେ ମାର୍ଚ୍ଚ ୮ ତାରିଖ ଦିନ ମୃତ୍ୟୁବରଣ କରିଥିଲେ । ସୁକିନ୍ଦା ନିର୍ବାଚନମଣ୍ଡଳୀର ପଛୁଆବର୍ଗ ଓ ସାଧାରଣ ଜନତାଙ୍କ ପାଇଁ ସବୁବେଳେ ଲଢ଼େଇ କରୁଥିଲେ । ହେଲେ ତା’ଭିତରେ ନିଜ ପରିବାର କଥା କିନ୍ତୁ ଭୁଲି ଯାଇଥିଲେ । ଫଳରେ ଆଜି ତାଙ୍କର ଦୁଇ ପୁଅ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଜଣେ ପୁଅ କୁକୁଡ଼ା ବିକ୍ରି ସହିତ ଅଟୋ ଗାଡି ଚଳେଇ ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନ୍ୟଏକ ପୁଅ ଚାଷବାସ କରି ନିଜ ପରିବାର ଚଳାଉଛନ୍ତି l