ଯାଜପୁର: ଗୋଟିଏ ଦିନରେ ତିନୋଟି ଘାଇ ସୃଷ୍ଟି କରିଛି ବୈତରଣୀର ଶାଖା ନଦୀ । ଯାଜପୁର ଶିମିଳିଆରେ ବୈତରଣୀର ଶାଖା ବୁଢା ନଦୀରେ ଘାଇ ସୃଷ୍ଟି ହୋଇଥିବାବେଳେ ଦଶରଥପୁରରେ ଶାଖା ନଦୀ କାଣିରେ ଦତ୍ତପୁର ଓ କସପା କମାଳପୁରରେ ଘାଇ ସୃଷ୍ଟି ହୋଇଛି । ସେପଟେ ରେଙ୍ଗାଲି ଡ୍ୟାମ ଖୋଲିଥିବା କାରଣରୁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବିପଦ ସଂକେତ ପାର କରିବାକୁ ସଂକେତ ଦେଲାଣି । ଜିଲ୍ଲାରେ 265ଟି ପଞ୍ଚାୟତର 1100 ଗ୍ରାମର ପାଖାପାଖି ପଚାଶ ହଜାର ଲୋକ ଜଳବନ୍ଦୀ ହୋଇରହିଛନ୍ତି ।
ବନ୍ୟା ଜଳରେ ଉବୁଟୁବୁ ଯାଜପୁର ବୈତରଣୀ ନଦୀ ଗତ ଦୁଇଦିନ ହେବ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ଆଜି ତାର ଶାଖା ନଦୀ ଗୁଡିକ 3ଟି ବଡ ବଡ ଘାଇ ସୃଷ୍ଟି କରିଛନ୍ତି । ଚାରିଆଡେ ବନ୍ୟା ଜଳ ପ୍ରବେଶ କରିବା କାରଣରୁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ତ ଆଉ କିଏ ନିଜ ଜୀବନ ବଞ୍ଚାଇବାକୁ ବେକେ ପାଣିରେ ପିଲା ଛୁଆ ଧରି ଭୋକ ଉପାସରେ ଜୀବନ କାଟୁଛନ୍ତି ।
ଗୋଟପଟେ ବୈତରଣୀ ଉଛୁଳୁ ଥିବାବେଳେ ବ୍ରାହ୍ମଣୀ ଓ ଖରସ୍ରୋତାର ନଦୀ ଜଳ ବିପଦ ସଂକେତ ପାଖାପାଖି । ପରିସ୍ଥିତିକୁ ନଜରରେ ରଖି ଦୁଇଟି ଓଡ୍ରାଫ ଟିମ ସହ ଦୁଇଟି ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଲାଗି ମୁତୟନ ହୋଇଛନ୍ତି । ବନ୍ୟା ବିପନ୍ନ ଓ ସ୍ଥାନାନ୍ତରିତ ପରିବାକୁ 3 ଦିନ ରିଲିଫ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ଭୋକ ଉପାସରେ ପଡିଥିବା ବିପନ୍ନ ପରିବାର ପାଖରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆ ଯାଇନଥିବାରୁ ବିଭିନ୍ନ ସାମାଜିକ ସଙ୍ଗଠନ ରନ୍ଧା ଖାଦ୍ୟ ଦେବା ବ୍ୟବସ୍ଥା କରିଛନ୍ତି ।
ସୂଚନାନୁଯାୟୀ, ତଳିଆ ଅଞ୍ଚଳରୁ 5 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନ ସହ ବନ୍ୟା ସ୍ଥିତି ସମୀକ୍ଷା ଓ ତଦାରଖ କରିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେପଟେ ବନ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ