ଯାଜପୁର:"କର୍ମ କରିଥିଲେ ସିନା ଫଳ ପାଇଥାନ୍ତା, ସେ ତ କର୍ମ କରିନି ମୁଁ ଠାକୁରଙ୍କୁ ଡାକିଲେ କଣ ହେବ।" ଟୋକିଓ ଅଲମ୍ପିକ୍ସ ଟ୍ରାକରେ ଫେଲ ମାରିବା ଏହା କହିଛନ୍ତି ଦୂତି ଚାନ୍ଦଙ୍କ ମାଆ ଅଖଜି ଚାନ୍ଦ । ଆଥଲେଟିକ୍ ଇଭେଣ୍ଟର ପ୍ରଥମ ଦିନରେ ମହିଳା ୧୦୦ ମିଟର ରାଉଣ୍ଡ ୧(ହିଟ୍ସ)ରେ ଦୌଡିଥିଲେ ଓଡ଼ିଆ ଦୌଡରାଣୀ ଦୂତୀ ଚାନ୍ଦ । ତେବେ ଯୋଗ୍ୟତା ଅର୍ଜନ କରିପାରିନଥିଲେ ଦୂତୀ । ଏହାକୁ ନେଇ ସାରା ଦେଶ ସହ ଯାଜପୁରରେ ଥିବା ଦୂତିଙ୍କ ଗାଁ ଓ ପରିବାର ଲୋକେ ନିରାଶ ହୋଇଛନ୍ତି । ଏଥିପାଇଁ ଦୂତିଙ୍କ କିଟ୍ ଓ ତାଙ୍କ କୋଚଙ୍କୁ ଦାୟୀ କରିଛନ୍ତି ତାଙ୍କ ପରିବାର ଲୋକେ ।
ଦୂତି ଟ୍ରାକକୁ ଓହ୍ଲାଇବା ପୂର୍ବରୁ ସଫଳତା କାମନା କରି ତାଙ୍କ ମାଆ ଠାକୁରଙ୍କ ନିକଟରେ ଅଖଣ୍ଡ ଦୀପ ଜାଳିଥିଲେ । ଏହାସହ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା । ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ଯ ଦୂତିଙ୍କ ନିଜ ଗାଁ ଚକଗୋପାଳପୁର ଗାଁରେ ପହଞ୍ଚି ମଲିଆବୁଢି ଗ୍ରାମଦେବୀଙ୍କ ନିକଟରେ ତାଙ୍କ ସଫଳତା ପାଇଁ ପ୍ରାର୍ଥନା କରିଥିଲେ । ତେବେ ସବୁ ପ୍ରାର୍ଥନା ଓ ଶୁଭକାମନା ଦୂତୀଙ୍କ ବିଜୟୀ କରିପାରିନାହିଁ ।