ଯାଜପୁର: ଆସିଛି ପାର୍ବଣ ଋତୁ। ମହିଷା ମର୍ଦ୍ଦିନୀ ରୂପେ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ଦୁର୍ଗତିନାଶିନୀ । ଜଗତ ଜନନୀ ମା ଦୁର୍ଗାଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ବ୍ୟାସନଗର ଅଞ୍ଚଳ। ମା’ଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଶ୍ରଦ୍ଧାଳୁ ଓ ଭକ୍ତ । ଦୀର୍ଘ ଦିନ ଧରି ତୋରଣ ପ୍ରସ୍ତୁତି ଓ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରିରେ ନିମଗ୍ନ ହୋଇଥିଲେ ଶିଳ୍ପୀ । ସମସ୍ତ ସ୍ଥାନରେ ମହାଷଷ୍ଠୀ ପୂଜା ହୋଇଥିବା ବେଳେ ଯାଜପୁରରେ ଶନିବାର ଠାରୁ ମା’ଙ୍କ ମଣ୍ଡପରେ ଆରମ୍ଭ ହେବ ସପ୍ତମୀ ପୂଜା ।
ଚଳିତ ବର୍ଷ ବ୍ୟାସନଗରର ରାଇସମିଲ୍, ଗୋପବନ୍ଧୁଛକ, ଚୋରଦା, ନହକା, ମୁଣ୍ଡମାଳ ଆଦି 10ଟି ସ୍ଥାନରେ ମଣ୍ଡପରେ ପୂଜା ପାଇବେ ଦୁର୍ଗା ମା । ସେହିପରି ସ୍ଥାନୀୟ ଫେରୋକ୍ରୋମ୍ ଓ କହ୍ନେଇପୁର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ପୂଜା ଉତ୍ସବର ଆୟୋଜନ କରାଯାଇଛି । ପ୍ରାୟ ସବୁଠି ବଡ ଧୁମଧାମରେ ଚାଲିଛି ପ୍ରସ୍ତୁତି । ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଜାରିରଖିଛି ।