ଓଡିଶା

odisha

ETV Bharat / state

ଭିନ୍ନ ଏକ କୁମାର ପୂର୍ଣ୍ଣିମା, ପାଳଭୂତ ସାଜି କୁମାରୀଙ୍କୁ ଡରାନ୍ତି ଯୁବକ

ଯାଜପୁର ସଦାନନ୍ଦପୁର ଗାଁରେ କୁମାର ପୂର୍ଣ୍ଣିମା ପର୍ବକୁ କିଛି ନିଆରା ଢ଼ଙ୍ଗରେ ପାଳନ କରାଯାଏ । ରାତ୍ରିରେ ଗାଁ ଅଗଣାରେ କୁମାରୀ ମାନେ କଇଁ ଫୁଲରେ ତିଆରି କରନ୍ତି ବିଭିନ୍ନ ପ୍ରକାରର କୋଠି । ଗାଁର କୁମାରୀ ମାନଙ୍କୁ ଯୁବକ ମାନେ ପାଳଭୂତରେ ଆସି ଡରାଇବାର ମଧ୍ୟ ପରମ୍ପରା ରହିଛି । ଅଧିକ ପଢନ୍ତୁ...

By

Published : Oct 20, 2021, 7:19 PM IST

ଭିନ୍ନ ଏକ କୁମାର ପୂର୍ଣ୍ଣିମା: ପାଳଭୂତ ସାଜି କୁମାରୀଙ୍କୁ ଡରାନ୍ତି ଯୁବକ
ଭିନ୍ନ ଏକ କୁମାର ପୂର୍ଣ୍ଣିମା: ପାଳଭୂତ ସାଜି କୁମାରୀଙ୍କୁ ଡରାନ୍ତି ଯୁବକ

ଯାଜପୁର: ଆଜି(ବୁଧବାର) ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । କୁମାରୀ ମାନଙ୍କ ଏକ ବିଶେଷ ପର୍ବ । ଏହି ଅବସରରେ ଯାଜପୁର ସଦାନନ୍ଦପୁର ଗାଁରେ ଏହି ପର୍ବକୁ କିଛି ନିଆରା ଢ଼ଙ୍ଗରେ ପାଳନ କରିବାର ପରମ୍ପରା ରହିଛି । କୁମାର ପୂର୍ଣ୍ଣିମା ପୂର୍ବ ରାତ୍ରିରେ ଗାଁ ଅଗଣାରେ କୁମାରୀ ମାନେ କଇଁ ଫୁଲରେ ତିଆରି କରନ୍ତି ବିଭିନ୍ନ ପ୍ରକାରର କୋଠି । ଆଜିକୁ ଅନେକ ବର୍ଷ ପୂର୍ବରୁ ଏହି କୋଠି ପରମ୍ପରା ଚାଲିଆସୁଛି ଏହି ଗାଁରେ । କେବଳ କଇଁ ଫୁଲରୁ ପ୍ରସ୍ତୁତ ହୋଇଥିବା ଏହି କୋଠିକୁ ଦେଖିଲେ ଯେକେହି ମନ୍ତ୍ରମୁଗ୍ଧ ହୋଇଯିବ । ଏହାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଦର୍ଶକ ଆସିଥାନ୍ତି ।

ଭିନ୍ନ ଏକ କୁମାର ପୂର୍ଣ୍ଣିମା, ପାଳଭୂତ ସାଜି କୁମାରୀଙ୍କୁ ଡରାନ୍ତି ଯୁବକ


କୁମାର ପୂର୍ଣ୍ଣିମା ଆସିଲେ ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଂଚଳ । ସାତ ଦିନ ପୂର୍ବରୁ ପ୍ରତ୍ୟେକ ନିଜ ନିଜ ଚଉଁରା ମୂଳେ ତିଆରି କରିଥା’ନ୍ତି କଇଁଫୁଲର କୋଠି । ଆଉ କୁମାର ପୂର୍ଣ୍ଣିମାର ଠିକ ପୂର୍ବରାତ୍ରିରେ କୁମାରୀ ମାନେ ଗାଁ ଅଗଣାରେ ତିଆରି କରିଥାନ୍ତି ବିରାଟ ବିରାଟ କୋଠି । କୌଣସି ରଂଗ କିମ୍ବା କାଳିରେ ନୁହେଁ କେବଳ କଇଁ ଫୁଲରେ ତିଆରି କରିଥାନ୍ତି ଏହି କୋଠି । ଯାହାକୁ କେହି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ବର୍ଷ ବର୍ଷ ଧରି ଏହି କୋଠିପୂଜା ପରମ୍ପରା ଚାଲିଆସୁଛି ଏହି ଗାଁରେ । କୋଠିପୂଜା କଲେ ଚନ୍ଦ୍ର ଓ କଇଁଫୁଲର ସମ୍ପର୍କ ଯେପରି, ଠିକ ସେମିତି ଜଣେ ମନର ମଣିଷ ମିଳିବା ସହିତ ସେମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି ହୋଇପାରିବ ବୋଲି ଗାଁର ଯୁବତୀ ମାନେ ବିଶ୍ୱାସ କରିଥା’ନ୍ତି ।


ସଦାନନ୍ଦପୁର ଗାଁରେ ଚାଲିଆସିଥିବା ଏହି କୋଠି ପୂଜା ପରମ୍ପରାକୁ ସ୍ୱର୍ଗତ ସ୍ବପ୍ନେଶ୍ୱର ମହାନ୍ତି ଆରମ୍ଭ କରିଥିଲେ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ଲିଖିତ ପୁସ୍ତକ “ଚିତ୍ରକାବ୍ୟ ବନ୍ଧୋଦ୍ୱୟ”ରେ ଅଙ୍କାଯାଇଥିବା ଏହି କୋଠିକୁ ସେହି ଗାଁ ଅଗଣାରେ ଅଙ୍କାଯାଇଥାଏ । ଯେଉଁଥିରେ ଅନେକ ପୌରାଣିକ କଥାବସ୍ତୁକୁ କଇଁଫୁଲ ମାଧ୍ୟମରେ ଅଙ୍କାଯାଇଥାଏ । ଧିରେ ଧିରେ ଏହି କୋଠି ପରମ୍ପରା ଅନ୍ୟ ଗାଁକୁ ବ୍ୟାପୁଥିବା ମଧ୍ୟ ଲକ୍ଷ୍ୟ କରାଗଲାଣି ।

ଏହି କୋଠି ଆଙ୍କିବା ପାଇଁ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥାନ୍ତି । ଯୁବତୀ ମାନେ କୋଠିପୂଜା କରିବା ପରେ ବୃନ୍ଦାବତୀଙ୍କ ନିକଟରେ କୁମାରୀ ମାନେ ମୁଢି ଓ ନଡିଆ ଭୋଗ କରିବା ସହିତ ରାତି ତମାମ ନାଚ ଓ ଗୀତରେ ମସଗୁଲ ହୋଇଥା’ନ୍ତି । ସେହିପରି ଗାଁର କୁମାରୀ ମାନଙ୍କୁ ଯୁବକ ମାନେ ପାଳଭୂତରେ ଆସି ଡରାଇବାର ମଧ୍ୟ ପରମ୍ପରା ରହିଛି । ସଦାନନ୍ଦପୁରରେ ଏହି କୋଠି ତିଆରି ପାଇଁ ପୂର୍ବରୁ କେବଳ କଇଁଫୁଲର ବ୍ୟବହାର ହେଉଥିଲା । କିନ୍ତୁ, କ୍ରମଶଃ ଏହାକୁ ଅଧିକ ଆକର୍ଷିତ କରିବା ପାଇଁ ବିଭିନ୍ନ ରଙ୍ଗର ମଧ୍ୟ ବ୍ୟବହାର କରାଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details