ଯାଜପୁର: ନଈକୂଳିଆଙ୍କ ଚିନ୍ତା ବଢାଇଲାଣି ମୌସୁମୀ । ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇ ଯାଇଥିବାବେଳେ ମୁକୁଳା ପଡିଛି ନଦୀବନ୍ଧ । ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀବନ୍ଧର ଘାଇ ମଧ୍ୟ ମରାମତି ହୋଇପାରିଲା ନାହିଁ । ଆଉ ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ବନ୍ୟା ଆଶଙ୍କାରେ ଭୟଭୀତ ଅଞ୍ଚଳବାସୀ ।
ସେପଟେ ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି । ମାତ୍ର ସମସ୍ତ ପ୍ରତିଶୃତି ଓ ଅଭିଯୋଗ ଯେମିତି କାଗଜପତ୍ରରେ ଅଟକି ରହିଥିବାର କହିଛନ୍ତି ଯାଜପୁର ଜଳସେଚନ ବିଭାଗ ଅଧିନସ୍ଥ ଖଇରାବାଦ ପଞ୍ଚାୟତବାସୀ । ଅନ୍ୟପଟେ ଖଇରାବାଦ ପଞ୍ଚାୟତରେ କିଛି ବର୍ଷ ତଳେ ନିର୍ମାଣ ହୋଇଥିଲା ବୁଢା ନଦୀବନ୍ଧ । ହେଲେ ନିମ୍ନ ମାନର କାମ ଯୋଗୁଁ ମାଟି ଅତଡା ନଦୀରେ ମିଶି ଯାଇଛି । କେବଳ ବଲ୍ଲା ପୋତି ବନ୍ଧକୁ ଅଟକାଇ ଯାଇଛି । ବର୍ଷା ହେବା ଫଳରେ ଏହାକୁ ମରାମତି କରିବାକୁ ଚେଷ୍ଟା କରୁଛି ଜଳସମ୍ପଦ ବିଭାଗ । ଏପଟେ କିନ୍ତୁ ମରାମତିକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ସ୍ଥାନୀୟ ବାସିନ୍ଦା ।