ଯାଜପୁର: ଭାଙ୍ଗିଲା ବ୍ରାହ୍ମଣୀ ନଦୀବନ୍ଧ । ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳରେ ବ୍ରାହ୍ମଣୀ ନଦୀବନ୍ଧ ଭାଙ୍ଗିଯାଇଛି । ଏପଟେ ବରୀ ବ୍ଲକ ସାହୁପଡା ପଞ୍ଚାୟତ ମାଟିଆପଡାଠାରେ ବ୍ରାହ୍ମଣୀ ନଦୀରେ ଆଜି ସକାଳୁ 2 ଗୋଟି ଘାଇ ସୃଷ୍ଟି ହୋଇଛି । ଫଳରେ ସାହୁପଡା ଓ ଧାରପୁର ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଏଥିରେ ହଜାର ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଅନ୍ୟପଟେ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ହ୍ରାସ ପାଉଛି । ଜେନାପୁର ଠାରେ ଗତକାଲି(ମଙ୍ଗଳବାର) ରାତିରେ 68.20 ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆଜି ସକାଳ 7ଟା ସୁଦ୍ଧା ଜେନାପୁରଠାରେ ବନ୍ୟାଜଳ ହ୍ରାସ ପାଇ 67.60 ରେ ପ୍ରବାହିତ ହେଉଛି । ସେହିପରି ଗତକାଲି ବ୍ରାହ୍ମଣୀ ନଦୀର ବନ୍ଧଢିହ ପଞ୍ଚାୟତ କନ୍ଦିଆଠାରେ ଥିବା ଘେରି ବନ୍ଧରେ ଘାଇ ହେବା ଯୋଗୁଁ ଏକ ଶହରୁ ଉର୍ଦ୍ଧ୍ବ ପରିବାର ପ୍ରଭାବିତ ହୋଇଛନ୍ତି । ଏନେଇ ଜିଲ୍ଲା ଓ ବ୍ଲକ ପ୍ରଶାସନ ସଜାଗ ରହିଥିବାବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।