ଓଡିଶା

odisha

By

Published : Oct 6, 2019, 8:03 AM IST

ETV Bharat / state

ବାଣୀକ୍ଷେତ୍ରର ଜ୍ଞାନଦାତ୍ରୀ ମା' ଝଙ୍କଡ ଶାରଳା

ସତ୍ୟଯୁଗରେ ମାତା ସତୀଙ୍କର ଖଣ୍ଡବିଖଣ୍ଡିତ ଶରୀର ପୃଥିବୀ ପୃଷ୍ଠର 51ଟି ସ୍ଥାନରେ ପଡିଥିଲା । ଏହା ପରେ ପ୍ରତ୍ୟେକ ସ୍ଥାନ ହେଲା ପବିତ୍ର ଓ ଶକ୍ତିପୀଠ । ଏହି କ୍ରମରେ ସତୀଙ୍କ ଜିଭ ପଡିଥିଲା ଝଙ୍କଡରେ । ସେହିଦିନ ଠାରୁ ତାହା ଜ୍ବିହା ବା ବାଣୀପୀଠ ରୂପେ ଖ୍ୟାତ । ଅଧିକ ପଢ଼ନ୍ତୁ...

ବାଣୀକ୍ଷେତ୍ରର ଜ୍ଞାନଦାତ୍ରୀ ମା' ଝଙ୍କଡ ଶାରଳା

ଜଗତସିଂହପୁର: ଓଡିଶାର 8ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଝଙ୍କଡ ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠ । ପଥରରେ ଖୋଦିତ ଅଷ୍ଟଭୂଜା ମୂର୍ତ୍ତି ମା' ଶାରଳା ବିଦ୍ୟା ଓ ବୁଦ୍ଧିର ଦେବୀ । କୁହାଯାଏ ମା' ଦୁର୍ଗା ଓ ସରସ୍ବତୀଙ୍କ ମିଶ୍ରିତ ରୂପ ହେଉଛନ୍ତି ମା' ଶାରଳା । ଜଗତସିଂହପୁର ସହର ଠାରୁ ପୂର୍ବକୁ 20 କିଲୋମିଟର ଦୂରରେ ପଡ଼ିଥାଏ ଝଙ୍କଡ଼ର ଏହି ପ୍ରସିଦ୍ଧ ମନ୍ଦିର ।

ବାଣୀକ୍ଷେତ୍ରର ଜ୍ଞାନଦାତ୍ରୀ ମା' ଝଙ୍କଡ ଶାରଳା

ଦେବୀ ପୁରାଣ ଅନୁଯାୟୀ, ସତ୍ୟଯୁଗରେ ମାତା ସତୀଙ୍କର ଖଣ୍ଡବିଖଣ୍ଡିତ ଶରୀର ପୃଥିବୀ ପୃଷ୍ଠର 51ଟି ସ୍ଥାନରେ ପଡିଥିଲା । ଏହା ପରେ ପ୍ରତ୍ୟେକ ସ୍ଥାନ ହେଲା ପବିତ୍ର ଓ ଶକ୍ତିପୀଠ । ଏହି କ୍ରମରେ ସତୀଙ୍କ ଜିଭ ପଡିଥିଲା ଝଙ୍କଡରେ । ସେହିଦିନ ଠାରୁ ତାହା ଜ୍ବିହା ବା ବାଣୀପୀଠ ରୂପେ ଖ୍ୟାତ । ବାଣୀ କ୍ଷେତ୍ରରେ ମା' ଶାରଳା ବାଗବେଦୀ ସରସ୍ବତୀ ନାମରେ ସର୍ବଦା ପୂଜିତ ।

ଗବେଷକ ଏବଂ ଐତିହାସିକଙ୍କ ମତରେ ମା' ଶାରଳାଙ୍କ ମନ୍ଦିର ଅତୀବ ପ୍ରାଚୀନ । 1500 ଶତାଦ୍ଦୀ ବେଳକୁ ମା'ଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା । ଏହା ପୂର୍ବରୁ ମା' ପ୍ରଥମେ ନଣ୍ଡା ଦେଉଳରେ ପୂଜା ପାଉଥିଲେ । କଳା ପାହାଡ଼ ଓଡ଼ିଶା ଆକ୍ରମଣ ସମୟରେ ଶାରଳାଙ୍କ ମନ୍ଦିର ମଧ୍ୟ ଆକ୍ରମଣ କରିଥିଲା । ସେ ସମୟରେ ମା' ମନ୍ଦିରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । କଥା ରହିଛି, 'କଳାପାହାଡ଼ ଏଇଲା, ସର୍ବ ଦେବାଦେବୀ ଭଗନ କଲା, ତୋତେ ନ ପାଇଣ ପଳାଇଲା ।'

ମା' ଙ୍କ ମହିମା ତାଙ୍କ ଭକ୍ତଙ୍କ ପାଇଁ ସର୍ବଦା ଅବର୍ଣ୍ଣନୀୟ । ପ୍ରତ୍ୟେକ ଦିନ ମା' 3 ଧୂପ ପଞ୍ଚ ଅବକାଶରେ ପୂଜା ପାଆନ୍ତି । ହେଲେ ପାର୍ବଣ ସମୟରେ ମା'ଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ପ୍ରାତଃରେ ମଙ୍ଗଳ ଆଳତି, ଅବକାଶ, ମହାସ୍ନାନ କରାଯିବା ପରେ ବିଭିନ୍ନ ବେଶରେ ମା'ଙ୍କୁ ସଜ୍ଜିତ କରାଯାଇ ବାଳଧୂପ ନୀତି ଅନୁଷ୍ଠିତ ହୋଇଥାଏ । ସେହିପରି ମଧ୍ୟାହ୍ନରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟାରେ ଆଳତୀ ଓ ରାତ୍ରରେ ବଡ଼ସିଂହାର ବେଶରେ ମା' ଦର୍ଶନ ଦେଇଥାନ୍ତି ।

ପବିତ୍ର ମୂଳାଷ୍ଟମୀରୁ ଦଶହରା ପର୍ଯ୍ୟନ୍ତ ମା' ଶାରଳା ସୁନାବେଶ, ଚାମୁଣ୍ଡା ବେଶ, ସିଂହବାହିନୀ, ମହିଷାମର୍ଦ୍ଦିନି ଆଦି ବିଭିନ୍ନ ବେଶରେ ସଜ୍ଜିତ ହୋଇଥାନ୍ତି । ଷୋଡଶ ପୂଜା ଉପଚାର ସମୟରେ ପୀଠରେ ମା'ଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ଶହ ଶହ ଭକ୍ତଙ୍କ ଆଗମନ ହୁଏ । ଏହି ସମୟରେ ମା'ଙ୍କ ପାଖରେ 108 ହାଣ୍ଡି ଖଜା, ରସାବଳୀ, ଉଖୁଡା ଆଦି ଭୋଗ ପୂଜା କରାଯିବାର ବିଧି ରହିଛି ।

ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ବୟ ବାଣୀ କ୍ଷେତ୍ର ମା' ଶାରଳାଙ୍କ ପୀଠ । ମା'ଙ୍କ ଆଶୀର୍ବାଦ ଟିକେ ପାଇବାକୁ ଓଡିଶାର କୋଣ ଅନୁକୋଣରୁ ଧାଇଁ ଆସନ୍ତି ଭକ୍ତ । ଜ୍ଞାନଦାତ୍ରୀ ଭାବରେ ପରିଚିତ ସେ ମା କେଉଁ ଅନାଦି କାଳରୁ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀଙ୍କ ରୂପେ ଉପାସିତ ହୋଇଆସୁଛନ୍ତି । ସେଥିପାଇଁ ତ କୁହାଯାଏ-

ଶାରଦେ ବରଦେ ମାତ, ସର୍ବମାଙ୍ଗଳ ହେତବେ,
ବୁଦ୍ଧି ଵିଦ୍ୟା ପ୍ରଦାୟନୀ ଶାରଦୀୟ ନମସ୍ତୁତେ ।

ବିଶ୍ବାସ ରହିଛି, ଝଙ୍କଡବାସିନୀ ମା' ଶାରଳାଙ୍କ ଯିଏ ଥରେ ଶରଣାପନ୍ନ ହୋଇଛି, ସେ ସର୍ବରୋଗ, ସର୍ବଦୁଃଖ, ସର୍ବପାପ, ସର୍ବଧର୍ମ ଜୟ କରେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details