ପାରାଦ୍ବୀପ: ସରିଲା ଋଷୀୟ ଇଞ୍ଜିନିୟର ମିଲ ୟାକୁବ ସର୍ଜାଇଙ୍କ ମୃତଦେହ ବ୍ୟବଚ୍ଛେଦ । କୁଜଙ୍ଗସ୍ଥିତ ମୃତଦେହ ବ୍ୟବଚ୍ଛେଦ କେନ୍ଦ୍ରରେ ଏହି ବ୍ୟବଚ୍ଛେଦ କରାଯାଇଛି । କୁଜଙ୍ଗ ତହସିଲଦାର ଓ ମେରାଇନ ଥାନା ଅଧିକାରୀଙ୍କ ଉପସ୍ଥିତରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଏହି ବ୍ୟବଚ୍ଛେଦ କରିଛନ୍ତି । ଏହାପରେ ନମୁନା ସଂଗ୍ରହ କରି ଭୁବନେଶ୍ବର ଫରେନ୍ସିକ ଲ୍ୟାବକୁ ପଠାଇଛି ପୋଲିସ । ଲ୍ୟାବ୍ରୁ ରିପୋର୍ଟ ଆସିବା ପରେ ଏହି ଋଷୀୟ ନାଗରିକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ସୋମବାର ବିଳମ୍ବିତ ରାତିରେ ଏହି ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ପାରାଦ୍ବୀପ ବନ୍ଦରଠାରୁ ସମୁଦ୍ରର 10 କିଲୋମିଟର ଦୂରରେ ଅଟକି ରହିଥିବା ଜାହାଜରୁ ଏହି ଋଷୀୟ ନାଗରିକଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହକୁ ସୋମବାର ବିଳମ୍ବିତ ରାତିରେ ପାରାଦ୍ବୀପ ପୋର୍ଟ ପୋଲିସ ଉଦ୍ଧାର କରିଥିଲା (Russian nationals death Body body rescued)। ଆଇନଗତ ପ୍ରକ୍ରିୟା, କାଗଜପତ୍ର କରିବାରେ ବିଳମ୍ବ ଓ ଥାନାରେ ଲିଖିତ ଅଭିଯୋଗ ହୋଇନଥିବାରୁ ପୋଲିସ ମୃତଦେହ ଜବତ କରିବାରେ ବିଳମ୍ବ ହୋଇଥିଲା । ତେବେ ଆଜି ମୃତଦେହ ବ୍ୟବଛେଦ ସମୟର ସମସ୍ତ ଦୃଶ୍ୟକୁ ଭିଡିଓ ରେକର୍ଡିଂ କରାଯାଇଥିବା ସହ ଭିସେରା ଟେଷ୍ଟ ପାଇଁ ବ୍ରେନ, ହାର୍ଟ ଓ ଫୁସଫୁସ ଇତ୍ୟାଦି ଶରୀରର ମୁଖ୍ୟ ଅଂଶର ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବରସ୍ଥିତ ଷ୍ଟେଟ୍ ଫରେନସିକ ଲ୍ୟାବକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।