ଜଗତସିଂହପୁର:ପଣ୍ୟ କରବାରରେ ନୂଆ ରେକର୍ଡ କରିଛି ପାରାଦ୍ବୀପ ବନ୍ଦର । କାର୍ଗୋ ହ୍ୟାଣ୍ଡଲିଂ ବା ପଣ୍ୟ କରବାରରେ ପାରାଦ୍ବୀପ ପୋର୍ଟ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଯାହା ଓଡିଶା ପାଇଁ ଗର୍ବ ଆଣି ଦେଇଛି । ପାରାଦ୍ବୀପ ବନ୍ଦର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବନ୍ଦରର ନୂଆ ଆଇରନ ଓର ବର୍ଥରେ jsw ପିଟିପି ଏଲ ଦ୍ବାରା 1ଲକ୍ଷ 50 ହଜାର 470 ମେଟ୍ରିକ ଟନ ଆଇରନ ଓର ମାଇନ୍ସ ବୋଝେଇ କରି ରେକର୍ଡ ସୃଷ୍ଟି କରିଛି ।
ଏହି ପଣ୍ୟ ଏମଭି ଆରେବେଲା ନାମକ ଜାହାଜରେ ଲୋଡ଼ କରାଯାଇଥିବା ବନ୍ଦର ପକ୍ଷରୁ କୁହାଯାଇଛି । ପୂର୍ବରୁ ପାରାଦ୍ବୀପ ବନ୍ଦରରେ 1ଲକ୍ଷ 50 ହଜାର 40 ମେଟ୍ରିକ ଟନ ପଣ୍ୟ ବୋଝେଇ କରାଯାଇଥିବା ବେଳେ ତାହାର ରେକର୍ଡକୁ ଅତିକ୍ରମ କରିଛି । ଏହି ସଫଳତା ପାଇଁ ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦ ପାରାଦ୍ବୀପ ବନ୍ଦର ପ୍ରାଧିକାରଣ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି । ପାରାଦ୍ବୀପ ବନ୍ଦରର ଏହି ରେକର୍ଡ ପୂର୍ବ ଭାରତ ବନ୍ଦରମାନଙ୍କ ମଧ୍ୟରେ ପ୍ରଥମ । ପଣ୍ୟ ପରିବହନ କ୍ଷେତ୍ରରେ ପାରାଦ୍ବୀପ ବନ୍ଦର ଅନ୍ୟ ବନ୍ଦର ତୁଳନାରେ ବେଶ ଆଗରେ ରହିଛି ।
ଲୁହା ପଥରଠାରୁ ଆରମ୍ଭ କରି କୋଇଲା ପରିବହନ କ୍ଷେତ୍ରରେ ମଧ୍ୟ ପାରାଦ୍ବୀପ ବନ୍ଦର ରେକର୍ଡ କରିଛି । ପୂର୍ବ ଭାରତରେ ଥିବା 9ଟି ବନ୍ଦର କୋଲକାତାର ହଳଦିଆ ବନ୍ଦର, ବିଶାଖାପାଟନମ ବନ୍ଦର, କାମରାଜର ବନ୍ଦର, ଚେନ୍ନାଇ ବନ୍ଦର, କୋଚିନ ବନ୍ଦର, ନିୟୁ ମଙ୍ଗାଲୋର ବନ୍ଦର ଜେଏନପିଟି ବନ୍ଦର ଓ ଦିନ ଦୟାଲ ବନ୍ଦର ମଧ୍ୟରୁ ପଣ୍ୟ କାରବାର କ୍ଷେତ୍ରରେ ପାରାଦ୍ବୀପ ବନ୍ଦର ଦ୍ବୀତୀୟ ସ୍ଥାନରେ ରହିଛି । ପାରାଦ୍ବୀପ ବନ୍ଦର ଦେଶର ପ୍ରମୁଖ ବନ୍ଦର ମାନଙ୍କ ମଧ୍ୟରେ ଆସିଛି । ଯାହାକୁ ନେଇ ବନ୍ଦର ଅଧ୍ୟକ୍ଷ ଖୁସିବ୍ୟକ୍ତ କରିଛନ୍ତି ।