ଜଗତସିଂହପୁର:ପାଖଉଛି ସାଧାରଣ ନିର୍ବାଚନ । ସମୟ ଯେତିକି ନିକଟତର ହେଉଛି ରାଜନୈତିକ ଦଳ ମଧ୍ୟରେ ଭିତିରିଆ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଯଦିଓ ରାଜନେତା ଖୋଲାଖୋଲି କହୁନାହାନ୍ତି ମାତ୍ର ପ୍ରସ୍ତୁତି ସାଧାରଣ ନିର୍ବାଚନ ବୋଲି ଜଣାପଡୁଛି । ଜଗତସିଂହପୁର ଜିଲ୍ଲା ଏରସମା ନିର୍ବାଚନ ମଣ୍ଡଳୀ ବାଲିକୁଦାକୁ ଦୀର୍ଘ ଦିନ ପରେ ପୁଣି ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଘୁନନ୍ଦନ ଦାସ । ଶାରୀରିକ ଅସୁସ୍ଥତା କାରଣରୁ ଦୀର୍ଘ 7 ମାସରୁ ଊର୍ଦ୍ଧ୍ବ ନିଜ ନିର୍ବାଚନ ମଣ୍ଡଳୀରେ ସେ ଅନୁପସ୍ଥିତ ଥିଲେ । ସୁସ୍ଥ ହେବା ପରେ ସେ କର୍ମୀ ସମ୍ମିଳନୀ କରି ଶକ୍ତି ପଦର୍ଶନ କରିଛନ୍ତି ।
ସାଧାରଣ ନିର୍ବାଚନକୁ ଆଉ କେତେଟା ମାସ ବାକି ଥିବା ବେଳେ ପୁଣି ସଂଗଠନକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରଘୁନନ୍ଦନ । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ସଦେଇ ପୁର ଠାରେ ଦଳୀୟ କର୍ମୀମାନଙ୍କୁ ନେଇ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ହେବ ଶାରୀରିକ ଅସୁସ୍ଥତା କାରଣରୁ ରଘୁନନ୍ଦନ ଦଳୀୟ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥିଲେ । ନିର୍ବାଚନ ପାଖେଇ ଆସୁଥିବାରୁ ସଂଗଠନକୁ ସୁଦୃଢ଼ ଓ କର୍ମୀମାନଙ୍କ ମନୋବଳ ବଢାଇବାକୁ ପ୍ରୟାସ ଆରମ୍ଭ ହୋଇଛି । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ଶାସକ ବିଜେଡିରେ ଏକାଧିକ ଆଶାୟୀ ରହିଥିବା ବେଳେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ତାଙ୍କ ପୂର୍ବ ନିର୍ବାଚନ ମଣ୍ଡଳୀ ବାଲିକୁଦା-ଏରସମାକୁ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଅପର ପକ୍ଷରେ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ନିଜର ଦବଦବା ଜାହିର କରି ଥିବା ପୂର୍ବତନ ବିଧାୟକ ସ୍ବର୍ଗତ ଉମେଶ ସ୍ୱାଇଁଙ୍କ ବୋହୂ ମଧ୍ୟ ବିଜେଡିର ଦଳୀୟ ଟିକେଟ ପାଇଁ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି । ସେ ଗତ କିଛିଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ପରୋକ୍ଷରେ ଏହାକୁ ସ୍ୱୀକାର କରିଥିଲେ । ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବି ବିଶ୍ୱାଳ ବିଜେଡିରେ ସାମିଲ ହୋଇ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ପ୍ରଶାନ୍ତଙ୍କୁ ପୁଣି ତାଙ୍କ ନିଜ ସ୍ଥାନ ବାଲିକୁଦାକୁ ଫେରାଇ ନିଆଯିବ । ଯାହାକୁ ନେଇ ରଘୁନନ୍ଦନଙ୍କ ପାଇଁ କଣ୍ଟା ସଦୃଶ ହୋଇଛି ।