ଜଗତସିଂହପୁର:ଦୁଃସ୍ବପ୍ନର ଦୁଇବର୍ଷ ପରେ ଆରମ୍ଭ ହୋଇଛି ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା । ଶିଳ୍ପ ନଗରୀ ପାରାଦ୍ବୀପର ବିଜୁ ମୈଦାନ ଠାରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ ହୋଇଛି । ସାଧବ ପୁଅର ସ୍ମୁତିକୁ ମନେ ପକାଇବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ପ୍ରୟାସ ଆଗାମୀ ପିଢ଼ିକୁ ବାର୍ତ୍ତା ପ୍ରଦାନ କରିଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯାତ୍ରାର ଉଦଘାଟନ କରିଛନ୍ତି । ଆଜିଠୁ 7 ଦିନ ଚାଲିବ ଏହି କଳିଙ୍ଗ ବାଲିଯାତ୍ରା ।
ଓଡ଼ିଶାର ନୌବାଣିଜ୍ୟ ପ୍ରସିଦ୍ଧି ଲାଭ କରିଥିଲା । ସାଧବ ପୁଅର ନୌବାଣିଜ୍ୟ ସ୍ମୃତିକୁ ମନେ ପକାଇବା ପାଇଁ ପାରାଦ୍ବୀପରେ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆୟୋଜିତ ହୋଇ ଆସୁଛି । ଓଡ଼ିଆ ପୁଅ ସାତଦରିଆ ପାରିହୋଇ ଜାଭା ସୁମାତ୍ରା ଇଣ୍ଡୋନେସିଆ ଆଦି ଦେଶକୁ ଯାଇ ବାଣିଜ୍ୟ କରି କଳିଙ୍ଗକୁ ସମୃଦ୍ଧ କରୁଥିଲେ । ଯାହାର ସ୍ମୁତିକୁ ରୋମନ୍ଥନ କରିବା ଏହି ଯାତ୍ରାର ପ୍ରୟାସ । ଏହି ଯାତ୍ରା ଧୀରେ ଧୀରେ ଗଣ ପର୍ବ ଭାବରେ ପରିଗଣିତ ହେଲା । ଆଜି ଏହା ଓଡିଆ ସଂସ୍କୃତାର ବାର୍ତ୍ତାବହ ପାଲଟିଛି ।
ଏହି ଉଦଘାଟନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ଦେଇଥିଲେ । କଳିଙ୍ଗ ବାଲିଯାତ୍ରା ପାରାଦ୍ବପର ଏହା ଗଣପର୍ବ, ଏହା ଆମ ଐତିହର ପ୍ରତୀକ ବୋଲି ଜିଲ୍ଲାପାଳ ପାରୁଲ ପଟୱାରୀ ମତବ୍ୟକ୍ତ କରିଥିଲେ। 7 ଦିନ ଚାଲିବାକୁ ଥିବା ଏହି ଯାତ୍ରାରେ 400ରୁ ଅଧିକ ଷ୍ଟଲ ରହିଛି । ଘରକରଣା ଜିନିଷ ସହ ସୁସ୍ବାଦୁ ଭୋଜନର ଷ୍ଟଲ ମଧ୍ୟ ଖୋଲିଛି । ପଲ୍ଲିଶ୍ରୀ ମେଳା ସାଙ୍ଗକୁ ରାମଦୋଳି ବାଲିଯାତ୍ରାର ଆକର୍ଷଣ ହୋଇଛି । ପ୍ରଥମ ଦିନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।